ନୂଆଦିଲ୍ଲୀ : ଦିଲ୍ଲୀ,  ଗୁରୁଗ୍ରାମରେ ପ୍ରବଳ ବର୍ଷା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଛି। ଗୁରୁଗ୍ରାମରେ ଏଥିଯୋଗୁଁ ବଡ଼ଧରଣର ଟ୍ରାଫିକ୍‌ ସମସ୍ୟା ଉପୁଜିଛି। ଜଳମଗ୍ନ ରାସ୍ତା‌ରେ ଅ‌ନେକ ଗାଡ଼ି ଅଟକି ରହିଛି।  ଏନ୍‌ଏଚ୍‌୮ ଜୟପୁର ‌ଏକ୍ସପ୍ରେସୱେ, ବାଦଶାହପୁର, ମାନେସର ଏବଂ ସୋହନା ସର୍ବାଧିକ ପ୍ରଭାବିତ ହୋଇଛି। ନୋଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଦିଲ୍ଲୀର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଛି। ଯମୁନା ନଦୀରେ ବନ୍ୟା ଆସିଛି। ନଦୀଜଳ ବଢ଼ୁଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି।  ବନ୍ୟା ନେଇ ଦିଲ୍ଲୀ ସରକାର ଲୋକଙ୍କୁ ସତର୍କ କରିଛନ୍ତି। ଯମୁନା ନଦୀ ଉପରେ ପୁରୁଣ‌ା ରେଳ ପୋଲ ଆସନ୍ତାକାଲି ସନ୍ଧ୍ୟାରୁ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।  ମଙ୍ଗଳବାର ସନ୍ଧ୍ୟାରେ ବନ୍ୟାଜଳ ୨୦୬ ମିଟରରେ ପହଞ୍ଚିବ ବୋଲି କର୍ତ୍ତୃପକ୍ଷ ସତର୍କ କରିଛନ୍ତି।  ତେବେ ସତର୍କ ସୂଚନା ଜାରି ହେବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଶ୍ବସ୍ତ କରିଛନ୍ତି ଯେ ଦିଲ୍ଲୀରେ ଏବେ ବି ବିପଦ ନାହିଁ।  କିନ୍ତୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ହୋଇଛି।  

Advertisment

ଅନ୍ୟପକ୍ଷେ ଦିଲ୍ଲୀରେ ଅଗଷ୍ଟ ମାସରେ ୭୨ ପ୍ରତିଶତ ଅଧିକ ବର୍ଷା ହୋଇଛି।  ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ପାଇଁ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରିଥିଲା। ଦଶନ୍ଧି ମଧ୍ୟରେ ଦିଲ୍ଲୀରେ ଚଳିତ ଅଗଷ୍ଟରେ ସବୁଠାରୁ ଅଧିକ  ବର୍ଷା ହୋଇଛି। ଚଳିତ ବର୍ଷ ଅଗଷ୍ଟ‌ରେ ଦିଲ୍ଲୀରେ ମୋଟ୍‌ ୪୦୦.୧ ମିମି ବର୍ଷା ହୋଇଛି।  ୨୦୧୦ ପରଠାରୁ ଏହା ଦିଲ୍ଲୀରେ ଅଗଷ୍ଟ ମାସରେ ସର୍ବାଧିକ ବର୍ଷା। ୨୦୧୦ରେ ଦିଲ୍ଲୀରେ ୪୫୫.୧ ମିମି ବର୍ଷା ହୋଇଥିଲା। ଗ୍ରୁରୁଗ୍ରାମ ପ୍ରଶାସନ ବିଦ୍ୟାଳୟ ଓ କାର୍ଯ୍ୟାଳୟଗୁଡ଼ିକ ପାଇଁ ପରାମର୍ଶ ଜାରି କରିଛନ୍ତି। ୨ ତାରିଖ ଦିନ ଜିଲ୍ଲାରେ ଅନଲାଇନ୍ ଜରିଆରେ ପାଠ ପଢ଼ାଇବାକୁ କୁହାଯାଇଛି। ଘରୋଇ କାର୍ଯ୍ୟାଳୟଗୁଡ଼ିକର କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି।