ଯମୁନା ନଦୀରେ ବନ୍ୟା ଯୋଗୁଁ ଗାଜିଆବାଦ ସହରରେ ବୁଲୁଛନ୍ତି କୁମ୍ଭୀର

ଗାଜିଆବାଦ :  ଯମୁନା ନଦୀରେ ବନ୍ୟା ଯୋଗୁଁ ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାଜଳ ସହ କୁମ୍ଭୀରମାନେ ସହରରେ ପ୍ରବେଶ କରି ଏଣେତେଣେ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ହରିୟାଣାର ଯମୁନାନଦୀ ଉପରେ ଥିବା ହଥନିକୁଣ୍ଡ ବ୍ୟାରେଜରୁ ବନ୍ୟା ପାଣି ଛଡ଼ାଯାଇଛି । ପ୍ରାୟ ୫ ଲକ୍ଷ କ୍ୟୁସେକ ଜଳ ଛଡ଼ା ଯିବା ଯୋଗୁଁ ଦିଲ୍ଲୀର ଯମୁନା ଖଦର ଅଂଚଳ ଓ ଗାଜିଆବାଦରେ ବନ୍ୟା ସୃଷ୍ଟି ହୋଇଛି । ଖଦର ଅଂଚଳ ବନ୍ୟାପାଣିରେ ବୁଡ଼ିଯାଇଛି । ତେବେ ଏହି ବନ୍ୟାପାଣି ସହ ଅନେକ କୁମ୍ଭୀର ଜନବସତି ଅଂଚଳକୁ ଆସି ବୁଲୁଥିବା ଦେଖାଯିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ବିଶେଷକରି ଗାଜିଆବାଦର ଲୋନି ଅଂଚଳରେ ଅନେକ କୁମ୍ଭୀର ବୁଲୁଥିବା ଦେଖାଯାଇଛି । କୁମ୍ଭୀରମାନଙ୍କୁ ଡରି କୃଷକମାନେ ନିଜ ଚାଷଜମିକୁ ଯିବାକୁ ମଧ୍ୟ ଡରୁଛନ୍ତି ।

 

ଲୋନି ଅଂଚଳର ପଚେଇରା ଗ୍ରାମର ଲୋକମାନେ କହିଛନ୍ତି ଯେ, ଗତ ଦୁଇ ଦିନ ହେଲା ଗାଁର ଆଖପାଖରେ ଥିବା ବନ୍ୟାଜଳରେ ଅନେକ କୁମ୍ଭୀର ବୁଲୁଛନ୍ତି । କେତେକ ଗ୍ରାମବାସୀ ଏସବୁ କୁମ୍ଭୀରଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ।

ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ହରିୟାଣାରେ ଥିବା ହଥନିକୁଣ୍ଡ ବ୍ୟାରେଜକୁ ରେକର୍ଡ ପରିମାଣରେ ଜଳ ପ୍ରବେଶ କରୁଛି । ଏହି କାରଣରୁ ୪ ଦିନ ପୂର୍ବେ ବ୍ୟାରେଜର କେତେକ ଗେଟ ଖୋଲାଯାଇ ପ୍ରାୟ ପ୍ରାୟ ୫ ଲକ୍ଷ କ୍ୟୁସେକ ଜଳ ଛଡ଼ାଯାଇଥିଲା ।

ସମ୍ବନ୍ଧିତ ଖବର