ନୂଆଦିଲ୍ଲୀ : ଗତ ୬ ଦିନ ଧରି ଉତ୍ତର ଭାରତରେ ଲାଗି ରହିଥିବା ବର୍ଷା ବିପର୍ଯ୍ୟୟ ଆଣିଛି। ବର୍ଷା ଓ ବନ୍ୟା ପାଇଁ ଉତ୍ତର ଭାରତରେ ମୃତ୍ୟୁସଂଖ୍ୟା ୧୪୫ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୩୪ ଜଣଙ୍କ ମୃତ୍ୟୁ ହୋଇଛି।
ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। କେବଳ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିମାଚଳପ୍ରଦେଶରେ ୬, ହରିୟାଣାରେ ୫, ପଂଜାବରେ ୪ ଏବଂ ଉତ୍ତରାଖଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ବର୍ଷା ଏବଂ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୫ରେ ପହଞ୍ଚିଛି। ଅନ୍ୟପକ୍ଷେ ହିମାଚଳରେ ବନ୍ୟା ମୃତ୍ୟୁସଂଖ୍ୟା ୯୦ ଟପିଯାଇଛି। ରାଜ୍ୟରେ ୧୪ ଜଣ ନିଖୋଜ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖୁ ଆଜି ହିମାଚଳରେ ବିଭିନ୍ନ ବନ୍ୟାପ୍ରବଣ ଅଞ୍ଚଳ ବୁଲିଛନ୍ତି। ବନ୍ୟା ଯୋଗୁଁ ଘର ହରାଇ ଦେଇଥିବା ଲୋକଙ୍କୁ ସରକାର ଘର ନିର୍ମାଣ ପାଇଁ ଜମି ଏବଂ ଆର୍ଥିକ ସହାୟତା ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର କମିଥିଲେ ସୁଦ୍ଧା ବନ୍ୟା ସ୍ଥିତିରେ ସୁଧାର ଆସିନି। ଦିଲ୍ଲୀ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯାଇଛି।
ବର୍ଷା ଯୋଗୁଁ ପଂଜାବ ଏବଂ ହରିୟାଣାରେ ଜନଜୀବନ ଜଟିଳ ହୋଇଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଭୟ ପଂଜାବ ଏବଂ ହରିୟାଣାରେ ଉଦ୍ଧାର ଏବଂ ରିଲିଫ୍ ବିତରଣ କାର୍ଯ୍ୟ ଚାଲିଛି। ହରିୟାଣାରେ ୧୪ ଜିଲ୍ଲା ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ହରିୟାଣାରେ ୭ ଜିଲ୍ଲା ପ୍ରଭାବିତ। ପଂଜାବର ବିଭିନ୍ନ ପ୍ରଭାବିତ ଜିଲ୍ଲାର ୧୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।