ନୂଆଦିଲ୍ଲୀ: ବାଂଲାଦେଶ ପାଇଁ ବୁଡିବ କି ଭାରତ ? ବାଂଲାଦେଶ ଏମିତି କାରନାମା କରୁଛି ଯାହା ପାଇଁ ଭାରତରେ ଆସିପାରେ ବଡଧରଣର ବନ୍ୟା । ଦକ୍ଷିଣ ତ୍ରିପୁରାର ମୁହୁରୀ ନଦୀ ନିକଟରେ ବାଂଲାଦେଶ ଏକ ବନ୍ଧ ନିର୍ମାଣ କରୁଥିବା ରିପୋର୍ଟ ଆସିଛି । ଫଳରେ ଆଖପାଖ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢ଼ୁଥିବା ତିକ୍ତତା ମଧ୍ୟରେ ଏଭଳି ରିପୋର୍ଟ ଏବେ ଚିନ୍ତା ପାଲଟିଛି । ଗତ ଶନିବାର ବେଲୋନିଆର ସିପିଏମ୍ ବିଧାୟକ ଦୀପଙ୍କର ସେନ୍ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି ।

Advertisment

ସୂଚନା ଅନୁଯାୟୀ ଦକ୍ଷିଣ ତ୍ରିପୁରାରେ ୧.୫ କିଲୋମିଟର ଲମ୍ବା ଏବଂ ୨୦ ଫୁଟ ଉଚ୍ଚର ବନ୍ଧ ନିର୍ମାଣ କରାଯାଉଛି । ଦୀପଙ୍କର ସେନ୍ କହିଛନ୍ତି, "ଇନ୍ଦିରା-ମୁଜିବ ଚୁକ୍ତିନାମା ଅନୁଯାୟୀ, ଦୁଇ ଦେଶର ଜିରୋ ଲାଇନରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ । ପୂର୍ବରୁ ଏହି ଚୁକ୍ତି ଅନୁଯାୟୀ ଦକ୍ଷିଣ ତ୍ରିପୁରାରେ ଅନେକ ଜଳ ଉତ୍ତୋଳନ ପ୍ରକଳ୍ପ ବନ୍ଦ କରାଯାଇଥିଲା । ବାଂଲାଦେଶ ଏଥିପାଇଁ ଆପତ୍ତି ଉଠାଇଥିଲା ।"

ଏବେ ଏହାକୁ ନେଇ ସ୍ଥାନୀୟ ପୁଲିସ ଯାଞ୍ଚ କରୁଛି । ଏହି ମୁଦ୍ଦା ବିଧାନସଭାରେ ବି ଉଠିଥିଲା । ବୋଲେନିଆରେ ଥିବା ମୁହୁରୀ ନଦୀର ଉତ୍ତରାଞ୍ଚଳରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ନଗର ଓ ଈଶାନ ଚନ୍ଦ୍ର ନଗର । ବନ୍ୟା ଆଶଙ୍କା ଥିବାରୁ ଏଠାରେ ରହୁଥିବା ୫୦୦ରୁ ଅଧିକ ପରିବାରର ଚିନ୍ତା ବଢ଼ିଛି ।

ଚଳିତ ବର୍ଷ ଜାନୁଆରୀ ମାସରେ ବି ଉନାକୋଟି ଜିଲ୍ଲାର କୈଳାସହରରେ ଏଭଳି ହିଁ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଥିଲା । କାରଣ ସାଧାରଣତଃ ଏଠାରେ ବର୍ଷା ଦିନେ ଛୋଟଛୋଟ ବନ୍ୟା ଆସିଥାଏ । ବାଂଲାଦେଶ ବନ୍ଧ ନିର୍ମାଣ କଲେ ଏହି ବନ୍ୟା ଭୟାବହ ରୂପ ନେଇପାରେ । କଂଗ୍ରେସ ବିଧାୟକ ବିରଜିତ ସିହ୍ନା ମଧ୍ୟ ଏହି ମୁଦ୍ଦା ଉଠାଇଥିଲେ । ମନୁ ନଦୀରେ ମୌସୁମୀ ବେଳେ ଆସୁଥିବା ବନ୍ୟାକୁ ରୋକିବା ପାଇଁ ବନ୍ଧ ନିର୍ମାଣ କରୁଛି ବାଂଲାଦେଶ ।