ଗୁଆହାଟି : ଆସାମରେ ଭୟଙ୍କର ବନ୍ୟାରେ ୭ ଜିଲ୍ଲାର ୨ ଲକ୍ଷରୁ ବେଶି ଲୋକ ପ୍ରଭାବିତ ହୋଇଛନ୍ତି। ୯,୦୦୦ ଗ୍ରାମବାସୀଙ୍କୁ ୩୫ଟି ରିଲିଫ୍ ଶିବିରକୁ ନିଆଯାଇଛି। ଆସାମର ଧେମାଜି, ଲଖିମ୍ପୁର, ଦରାଂ, ନଳବାରି, ଗୋଆଲପାରା, ଦିବ୍ରୁଗଡ଼, ତିନିସୁକିଆ ଆଦି ଜିଲ୍ଲା ଚଳିତ ବନ୍ୟାରେ ଭୀଷଣ ପ୍ରଭାବିତ ହୋଇଛି। ଏସବୁ ଜିଲ୍ଲାର ୧ ହଜାର ହେକ୍ଟର ଚାଷଜମି ଜଳମଗ୍ନ ଥିବାବେଳେ ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ତେବେ ଗୋଆଲପାରା ଜିଲ୍ଲାରେ ବନ୍ୟା ସବୁଠୁ ବେଶି କ୍ଷତି କରିଛି। ଗୋଆଲପାରାରେ ୧ ଲକ୍ଷ ୬୮ ହଜାର, ନଲବାରି ଜିଲ୍ଲାରେ ୧୧ ହଜାର, ଦିବ୍ରୁଗଡ଼ରେ ୮ ହଜାର ଲୋକ ପ୍ରଭାବିତ ହୋଇଥିବା ଆସାମ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତକାଲି ଓ ଆଜି ଆସାମରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ଥିବା ବେଳେ ଆଉ ଦି’ଦିନ ବର୍ଷା ହେବାର ପାଣିପାଗ ପୂର୍ବାନୁମାନ ରହିଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷାରେ ଭୂସ୍ଖଳନର ସମ୍ଭାବନା ରହିଛି।