ବିହାର-ଆସାମରେ ବନ୍ୟା ବିତ୍ପାତ ଜାରି: ଗଣ୍ଡକ ନଦୀ ବନ୍ଧ ଭାଙ୍ଗି ୭ ଗାଁ ଜଳମଗ୍ନ , ୨୦୦୦ ଲୋକଙ୍କୁ ଉଦ୍ଧାର

ପାଟନା, ଗୌହାଟୀ: କରୋନା ମହାମାରୀ ସମୟ‌ରେ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ବିଭିନ୍ନ ରାଜ୍ୟରେ ଏବେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଷ୍ଟ। ବିହାର ଏବଂ ଆସାମରେ ଅତି ଭୟଙ୍କର ସ୍ଥିତି ଉପୁଜିଛି। ବିହାରର ପୂର୍ବ ଚମ୍ପାରନ୍‌ ଜିଲ୍ଲାର ସଂଗ୍ରାମପୁର ବ୍ଲକ୍‌ରେ ଗଣ୍ଡକ ନଦୀ ବନ୍ଧ ଭାଙ୍ଗି ୭ଟି ଗ୍ରାମ ଜଳମଗ୍ନ ହୋଇଯାଇଛି। ଏନ୍‌ଡିଆରଏଫ୍‌ ଦ୍ବାରା ୨ ହଜାର ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାନୁଯାୟୀ ସିକନ୍ଦରପୁର, ଚାନ୍ଦପୁର, ଶ୍ୟାମପୁର, ବିଶ୍ରାମପୁର ଦୁବାଲିୟା, ସରେୟା ବଦୁରହା, ଦୁମାରିୟା, ପକାଡ଼ି, ଭବାନୀପୁର ଗ୍ରାମ ଗୁଡ଼ିକ ବୁଡ଼ି ଯାଇଛି। ସମ୍ପୃକ୍ତ ଅଞ୍ଚଳରେ ୪ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି।

ତେବେ ଲଗାଣ ବର୍ଷା ଯୋଗୁଁ ବିହାରରେ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ୭ ଲକ୍ଷ ୬୫ ହଜାର ୧୯୧ ଜଣ ପ୍ରଭାବିତ ହୋଇଛନ୍ତି ଏବଂ ୧୩ ହଜାର ୮୭୭ ଜଣ ଆଶ୍ରୟସ୍ଥଳରେ ରହୁଛନ୍ତି। ଅନ୍ୟପକ୍ଷେ ଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୯୩କୁ ବୃଦ୍ଧି ପାଇଛି। ଗୁରୁବାର ଆସାମରେ ପୁଣି ୪ ଜଣଙ୍କ ମୃତ୍ୟୁ ହୋଇଛି। ଆସାମରେ ୨୬ଟି ଜିଲ୍ଲାରେ ୨୮ ଲକ୍ଷ ୩୨ ହଜାରରୁ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ଆସାମରେ ୧୨୩ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି। ଆସାମରେ ୨,୬୩୪ ଗ୍ରାମ ଜଳମଗ୍ନ ହୋଇଯାଇଛି ଏବଂ ୧ ଲକ୍ଷ ୧୯ ହଜାର ୪୩୫ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର