ଉତ୍ତରାଖଣ୍ଡ ବନ୍ୟା : କେଦାରନାଥରେ ଫସି ରହିଛନ୍ତି ୨ ହଜାର ତୀର୍ଥଯାତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଗତ ରବିବାରଠାରୁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ବେଶ୍ ଚିନ୍ତାଜନକ ରହିଛି । ରାଜ୍ୟରେ ଥିବା ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପ୍ରାୟ ୨ ହଜାର ତୀର୍ଥଯାତ୍ରୀ ଫସି ରହିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ କେଦାରନାଥରେ ପ୍ରାୟ ୬ ହଜାର ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୪ ହଜାର ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । କିନ୍ତୁ ୨ ହଜାର ଯାତ୍ରୀ ଏବେ ବି ସେଠାରେ ରହିଛନ୍ତି । ସେମାନଙ୍କୁ ସେନା ଓ ପ୍ରଶାସନ ପକ୍ଷରୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଗତ ତିନିଦିନ ହେଲା ରାଜ୍ୟରେ ଚାଲିଥିବା ବାଦଲଫଟା ବର୍ଷା ଯୋଗୁଁ ନୈନିତାଲ, ହଲଦ୍ବାନୀ, କାଠଗୋଦାମ, ରାଣୀକ୍ଷେତ, ପାଉରି, ଚାମୋଲି, ଲାନସଡୋନ ଜିଲ୍ଲାଗୁଡ଼ିକରେ ପ୍ରବଳ ବନ୍ୟା ଦେଖାଦେଇଛି । ନୈନିତାଲକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଭୂସ୍ଖଳନ ଯୋଗୁଁ ସହରକୁ ସଂଯୋଗ କରୁଥିବା ତିନିଟି ପ୍ରବେଶ ପଥ ବନ୍ଦ ହୋଇଯାଇଛି । ଏହି ବନ୍ୟାଯୋଗୁଁ ରାଜ୍ୟରେ ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ସ୍ଥିତିର ସମୀକ୍ଷା କରିବା ସହ ସହାୟତା କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ସହାୟତା କାର୍ଯ୍ୟରେ ୩ଟି ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ଦୁଇଟି ହେଲିକପ୍ଟର ନୈନିତାଲକୁ ପଠାଯାଇଥିବାବେଳେ ଗୋଟିଏ ଗଡ଼ଓ୍ବାଲକୁ ପଠାଯାଇଛି ।

 

 

ସମ୍ବନ୍ଧିତ ଖବର