ପଞ୍ଜାବରେ ବନ୍ୟା କରାଇଲା ପାକିସ୍ତାନ, ସତଲୁଜ୍‌ ନଦୀବନ୍ଧର ସବୁ ଗେଟ୍‌ ଖୋଲିଲା

ଚଣ୍ଡିଗଡ଼ : ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକ୍ରମ ଏବେ ଚରମ ସୀମାରେ ପହଞ୍ଚିଛି। ନିୟମିତ ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାନ୍ତ ଗ୍ରାମଗୁଡ଼ିକୁ ଗୁଳି ମାଡ଼ କରୁଥିବା ପାକିସ୍ତାନ ଅଚାନକ ସତଲୁଜ୍‌ ନଦୀବନ୍ଧର ସମସ୍ତ ୬ଟି ମୁଖ୍ୟ ଗେଟ୍‌ ଖୋଲିଦେବା ଫଳରେ ପଂଜାବର ସୀମାନ୍ତ ଗ୍ରାମ ଗୁଡ଼ିକରେ ଏବେ ବନ୍ୟା ଆସିଛି। ସୀମାନ୍ତ ଜିଲ୍ଲା ଫିରୋଜପୁରରେ ପ୍ରାୟ ୧୭ଟି ଗ୍ରାମ ଜଳମଗ୍ନ ହୋଇଯାଇଛି। ଫିରୋଜପୁର ଡେପୁଟି କମିସନର କହିଛନ୍ତି, ପାକିସ୍ତାନର କସୁର ଅଞ୍ଚଳରେ ଥିବା ବ୍ୟାରେଜ୍‌ର ସମସ୍ତ ଗେଟ୍‌ ଖୋଲି ଦିଆଯିବା ଫଳ‌ରେ ପଂଜାବର ସୀମାନ୍ତ ଗ୍ରାମଗୁଡ଼ିକ ଏବେ ଜଳବନ୍ଦୀ ହୋଇ ଯାଇଛି। ଏହି ଅଞ୍ଚଳରେ ବିଏସଏଫ୍‌ ଯବାନ ଏବେ ବୋଟ୍‌ରେ ପାଟ୍ରୋଲିଂ କରୁଛନ୍ତି। ବନ୍ୟା ପ୍ଲାବିତ ଗ୍ରାମଗୁଡ଼ିକରୁ ଏଯାବତ୍‌ ଏନ୍‌ଡିଆରଏଫ୍‌ ଏବଂ ସେନା ପକ୍ଷରୁ ୩୬୮ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି।

ଫିରୋଜପୁର ଏସ୍‌ଡିଏମ୍‌ ଅମିତ ଗୁପ୍ତା କହିଛନ୍ତି, କେବଳ ନଦୀ ଜଳ ନୁ‌ହେଁ , ପାକିସ୍ତାନରୁ ଶିଳ୍ପ ଆବର୍ଜନା ମଧ୍ୟ ଭାରତୀୟ ଅଂଚଳକୁ ପ୍ରବେଶ କରି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହା କର୍କଟ ରୋଗ ସହ ବିଭିନ୍ନ ଚର୍ମ ରୋଗର କାରଣ ହେଉଛି। ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ତଳେ ପାକିସ୍ତାନ ଅଭିଯୋଗ କରିଥିଲା ଯେ ଭାରତ ବିନା କୌଣସି ସୂଚନାରେ ପ୍ରାୟ ୨,୦୦,୦୦୦ କ୍ୟୁସେକ୍‌ ଜଳ ସତଲୁଜ୍‌ ନଦୀକୁ ଛାଡ଼ିଥିଲା। ଏହାଦ୍ବାରା ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପାକିସ୍ତାନ ଦାବି କରିଥିଲା।

ସମ୍ବନ୍ଧିତ ଖବର