ନୂଆଦିଲ୍ଲୀ: ବର୍ଷା ପରେ ବନ୍ୟା ସ୍ଥିତି, ଉତ୍ତର-ପୂର୍ବ ଅଞ୍ଚଳରେ ଏବେ ସ୍ଥିତି ସଙ୍ଗୀନ୍ । ସବୁଠି ଜଳପ୍ରଳୟ, ପ୍ରକୃତି କରୁଛି ତାଣ୍ଡବ । ବର୍ଷା ପରେ ବନ୍ୟା ସ୍ଥିତିରେ ବେହାଲ ହୋଇଛି ମିଜୋରାମ୍ ଓ ମଣିପୁର । ମିଜୋରାମରେ ପ୍ରବଳ ବନ୍ୟା ସ୍ଥିତି ଉପୁଜିବା ପରେ ଏବଂ ଭୂସ୍ଖଳନ ସହ ମାଟି ଧସିବା ଏବଂ ପଥର ଖସିବା କାରଣରୁ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି । ୧୧ଟି ଜିଲ୍ଲାର ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ଜଳବନ୍ଦୀ ସ୍ଥିତି, ରାସ୍ତାରେ ପାଣି ସୁଅ ଚାଲୁଥିବାକୁ ଅଘଟଣକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଛି ।

Advertisment

ସେପଟେ ହିଂସାପ୍ରବଣ ମଣିପୁରରେ ପ୍ରକୃତିର ତାଣ୍ଡବ ପରେ ହାହାକାର ସ୍ଥିତି । ପୂର୍ବ ଇମ୍ଫାଲ ଜଳବନ୍ଦୀ ହୋଇଛି । ଜବାହରଲାଲ୍ ନେହେରୁ ମେଡିକାଲ କଲେଜରେ ବନ୍ୟା ପାଣି ପଶିଛି । ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଫସିରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି । ୪୦୦ରୁ ଅଧିକ ଲୋକଙ୍କୁ ମେଡିକାଲରୁ ଉଦ୍ଧାର କରାଯାଇଛି । ବନ୍ୟା ପାଇଁ ମଣିପୁରର ଅନେକ ଅଞ୍ଚଳର ଅବସ୍ଥା ଖରାପ ହୋଇପଡିଛି । 

ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ହିଂସା ଜର୍ଜରିତ ମଣିପୁରକୁ ପୁଣି ମାଡ଼ି ଆସିଛି ବଡ଼ ବିପଦ । ବନ୍ୟା ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାର ଅବସ୍ଥା ଖରାପ ହେବାରେ ଲାଗିଛି । ଲୋକଙ୍କୁ କ୍ରେନ୍,ବୁଲଡୋଜର ସାହାଯ୍ୟରେ ଉଦ୍ଧାର କରାଯାଉଥିବା ଚିତ୍ର ସାମ୍ନାକୁ ଆସୁଛି । ଡାକ୍ତରଖାନା ଭିତରେ ପାଣି ପଶିବା ଫଳରେ ରୋଗୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି । ଆଗାମୀ ୭ ଦିନ ପାଇଁ ମଣିପୁର ସମେତ ଅଧିକାଂଶ ପୂର୍ବୋତ୍ତର ରାଜ୍ୟକୁ ହାଇଆଲର୍ଟରେ ରଖାଯାଇଛି ।

ସେପଟେ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟରେ ବନ୍ୟା ପାଇଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଲକ୍ଷାଧିକ ପ୍ରଭାବିତ ଓ ବାସହରାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉଛି । ଲଗାଣ ବର୍ଷା ପୂର୍ବୋତ୍ତର ରାଜ୍ୟ ପାଇଁ କାଳ ନେଇ ଆସିଛି । ୪୮ ଘଣ୍ଟାର ଲଗାଣ ବର୍ଷା ପରେ ଅନେକ ଅଞ୍ଚଳରେ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଭୟଙ୍କର ଭୂସ୍ଖଳନ ତ ପୁଣି କେଉଁଠି ବନ୍ୟା ଜଳର ପ୍ରବଳ ସ୍ରୋତରେ ଆଖି ପିଛୁଳାକେ ଭାସୁଛି ଘରଦ୍ବାର । ସିକ୍କିମରେ ଥିବା ସେନା କ୍ୟାମ୍ପ୍ ଉପରେ ମାଟି ଅତଡା ଖସିବା ଫଳରେ ୩ ଜଣ ଯବାନ ସହିଦ ହେବା ସହ ୧୦ରୁ ଅଧିକ ନିଖୋଜ ଥିବା ନେଇ ସୂଚନା ମିଳିଛି । ସିକିମରେ ୩୪ ଜଣ, ଆସାମରେ ୧୦ ଜଣ,ମଣିପୁରରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରୁଛି ଏସଡିଆରଏଫ,ଏନଡିଆରଏଫ ଓ ଭାରତୀୟ ସେନା ।