ନୂଆଦିଲ୍ଲୀ: ବଢୁଛି ବର୍ଷା, ବଢୁଛି ସମସ୍ୟା । ଆକାଶରୁ କଳସୀରେ ଢାଳିବା ପରି ବର୍ଷା ହେବା ପରେ ଏବେ ସବୁଠି ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବୁଡିଛି ସହର । ରାସ୍ତାଘାଟ ପାଣିର ପାଟି ଭିତରେ ରହିଛି । ଦୁଇ ରାଜ୍ୟକୁ ବର୍ଷା କରିଛି ବେହାଲ । ରାଜସ୍ଥାନର ୧୬ ଜିଲ୍ଲାକୁ ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଥିବା ବେଳେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଦିଆଯାଇଛି । ଜୟପୁର, ବୁନ୍ଦୀ, ଘୋଲପୁରର ହାଲ୍ ପୂରା ବେହାଲ ।
ସେପଟେ ମଧ୍ୟପ୍ରଦେଶରେ ବି ସାଙ୍ଘାତିକ ପରିସ୍ଥିତି ଉପୁଜିଛି । ଛୋଟବଡ ନଦୀ ଫୁଲିଛି । କେନାଲରେ ପାଣି ସ୍ଥଳଭାଗକୁ ମାଡି ଆସିଛି । ଶିବପୁରୀ, ସାଗର, ବିଦିଶା, ଗୁନା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ପୂରା ବ୍ୟବସ୍ଥାକୁ ଦୋହଲାଇ ଦେଇଛି ।
ଦୁଇ ରାଜ୍ୟରେ ଗ୍ରାମାଞ୍ଚଳର ଅବସ୍ଥା ସଙ୍ଗୀନ ହୋଇଥିବା ବେଳେ ଅନେକ ତଳିଆ ଅଞ୍ଚଳର ଗାଁ ଜଳମଗ୍ନ ହୋଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଯବାନ ନିୟୋଜିତ ହୋଇଛନ୍ତି । ଗୋଟେ ଗୋଟେ ଗାଁ ପୂରା ଖାଲି ହୋଇଯାଇଛି । ବନ୍ୟାରେ ଭାସି ଯିବାର ଭୟ ଥିବାରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।