ଗୁଜରାଟରେ ବନ୍ୟା ସ୍ଥିତି: ୨୪ ଘଣ୍ଟାରେ ୭ ମୃତ, ନାଗପୁରରେ କାର୍‌ ଭାସିଗଲା, ୩ ମୃତ

ଅହମଦାବାଦ : ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ରାଜକୋଟ ଏବଂ ଅହମଦାବାଦର ବ୍ୟାପକ ଅଂଚଳ ଜଳମଗ୍ନ ହୋଇଯାଇଛି। ଅହମଦାବାଦ ବର୍ଷା ଗତକାଲି ୫ ବର୍ଷର ରେକର୍ଡ ଭାଙ୍ଗିଥିଲା। ପ୍ରବଳ ବର୍ଷା ଯୋଗୁଁ ଗୁଜରାଟରେ ୨୪ ଘଣ୍ଟାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଜୁନ୍‌ ୧ ପରେ ରାଜ୍ୟରେ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି ପାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟକୁ ସମସ୍ତ ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଉଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫ୍‌ର ୧୮ ପ୍ଲାଟୁନ୍‌ ଏବଂ ଏନ୍‌ଡିଆରଏଫ୍‌ର ୩ ପ୍ଲାଟୁନ୍ ମୁତୟନ ହୋଇଛନ୍ତି। ବନ୍ୟା ପ୍ରବଣ ଅଞ୍ଚଳରୁ ୨୭,୮୯୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବନ୍ୟା ପ୍ରବଣ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ନେଇ କଥା ହୋଇଥିଲେ। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ବନ୍ୟା ଜଳରେ ଏକ କାର୍‌ ଭାସିଯାଇ ୪ ଜଣଙ୍କ ମୃତ୍ୟୁ ହୋଇଛି। ନାଗପୁରର ସବନେର ତହସିଲ୍‌ରେ ଏକ କାର୍‌ ବ୍ରିଜ୍‌ ଅତିକ୍ରମ କରୁଥିବାବେଳେ ଏହା ଭାସିଯାଇଥିଲା। ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ବର୍ଷାଜନିତ କାରଣ ପାଇଁ ଜୁଲାଇ ୧ରୁ ଜୁଲାଇ ୧୦ ମଧ୍ୟରେ ୮୩ ଜଣଙ୍କ ମୃତ୍ୟୁ ହେଲାଣି।

ସମ୍ବନ୍ଧିତ ଖବର