ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଏବେ ବିଗିଡିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଡିବ୍ରୁଗଡ ଏବଂ ଦିମା ହସାଓ ସମେତ ୨୬ଟି ଜିଲ୍ଲାରେ ବନ୍ୟା ଯୋଗୁଁ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ କେରଳର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Advertisment

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ଅନୁଯାୟୀ, ବର୍ଷା ଯୋଗୁଁ ଭୂସ୍ଖଳନ ହେବା ପରେ ପାହାଡ଼ିଆ ଜିଲ୍ଲା ଦିମା ହସାଓକୁ ଯାତାୟତ ବିଚ୍ଛିନ୍ନ ହୋଇଛି। ହାଫଲଙ୍ଗକୁ ଯାଉଥିବା ସମସ୍ତ ରାସ୍ତା ଏବଂ ରେଳ ଲାଇନ ମେ’ ୧୫ରୁ ବନ୍ଦ ରହିଛି। ଲଗାଣ ବର୍ଷା ପାଇଁ ଅନେକ ଜିଲ୍ଲାରେ ରାସ୍ତା ନଷ୍ଟ ହେବା ସହ ବ୍ରିଜ୍ ଭାଙ୍ଗିଯାଇଛି। ଏହା ସହ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି। ସେନା, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ ଏବଂ ରାଜ୍ୟ ପୁଲିସର ଅଗ୍ନିଶମ ବାହିନୀ,  ଅତି କମରେ ୩୪୨୭  ଜଣଙ୍କୁ ସେମାନଙ୍କ ଘରୁ ସୁରକ୍ଷିତ ବାହାର କରିଛନ୍ତି।

publive-image indiatoday

ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଦ୍ବାରା ୧୪୨ଟି ରିଲିଫ୍ କ୍ୟାମ୍ପ ଏବଂ ୧୧୫ ଟି ରିଲିଫ୍ ବଣ୍ଟନ କେନ୍ଦ୍ର ସ୍ଥାପନ କରାଯାଇଛି ଯେଉଁଠାରେ ସମୁଦାୟ ୩୯,୫୫୮ ଜଣ ଗ୍ରାମବାସୀ ଆଶ୍ରୟ ନେଇଛନ୍ତି। ପାଣିପାଗ ବିଭାଗ କହିଛି ଯେ ଗୌହାଟିରେ ସାଧାରଣ ଅପେକ୍ଷା ଅଧିକ ବର୍ଷା ହୋଇଛି ଏବଂ ଆଗାମୀ କିଛି ଦିନ ଅଧିକ ବର୍ଷା ଜାରି ରହିବ। ବିଭାଗ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାରଠାରୁ ପାଣିପାଗରେ ସାମାନ୍ୟ ଉନ୍ନତି ହୋଇପାରେ।