ଆଇଜୋଲ/ଇମ୍ଫାଲ: ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ଯୋଗୁଁ କ୍ରମାଗତ ଭୂସ୍ଖଳନ, ଆକସ୍ମିକ ବନ୍ୟା ଏବଂ ବ୍ୟାପକ କ୍ଷୟକ୍ଷତି ଘଟିଛି।  ଗତ ୩ ଦିନ ମଧ୍ୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ବର୍ଷା ବିପର୍ଯ୍ୟୟରେ ୧୨ ହଜାରରୁ  ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମିଜୋରାମ, ଆସାମ, ମଣିପୁର, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଶତାଧିକ ସ୍ଥାନରେ ରାସ୍ତା ଧୋଇଯାଇଥିବା ବେଳେ ଅନେକ ଘର ଭାଙ୍ଗିଯାଇଛି ଏବଂ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଲଗାଣ ବର୍ଷା ଓ ଭିତ୍ତିଭୂମି କ୍ଷୟକ୍ଷତି ଯୋଗୁଁ ଏଥିରେ   ବାଧା ସୃଷ୍ଟି ହୋଇଛି। ଆଗାମୀ ଦିନରେ ପ୍ରବଳ ବର୍ଷା ହେବା ଆଶଙ୍କା କରି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଉତ୍ତର-ପୂର୍ବର କେତେକ ରାଜ୍ୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି।  ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ବିଳମ୍ବିତ ରାତିରେ ଦକ୍ଷିଣ ମିଜୋରାମର ଲାଙ୍ଗଟ୍‌ଲାଇ ସହରରେ ୩ଟି କୋଠା ଭୁଶୁଡ଼ି ପଡ଼ିବାରୁ ଅତି କମ୍‌ରେ ୮ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି ବୋଲି  ଡେପୁଟି କମିସନରଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି। ୫ ଜଣ ଗୁରୁତର   ଆହତଙ୍କୁ ଭଗ୍ନାବଶେଷ ଭିତରୁ ଉଦ୍ଧାର କରାଯାଇଛି। ଭାରତୀୟ ରିଜର୍ଭ ପୁଲିସର ତୃତୀୟ ବାଟାଲିୟନ ଆଜି  ଲଙ୍ଗଟ୍‌ଲାଇ ନିକଟସ୍ଥ ଥିଙ୍ଗକାହ ଗ୍ରାମରେ  ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ମ୍ୟାମାର ଶରଣାର୍ଥୀଙ୍କୁ ଆଶ୍ରୟ ଦେଉଥିବା ଏକ ହୋଟେଲ ଭୁଶୁଡ଼ି ପଡ଼ିବାରୁ ଅନେକ ଆହତ ହୋଇଛନ୍ତି। ଭୂସ୍ଖଳନ ଯୋଗୁଁ ୫୪ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିବାରୁ ମିଜୋରାମର ଦକ୍ଷିଣ ଜିଲ୍ଲା ସିଆହାରୁ ଲଙ୍ଗଟ୍‌ଲାଇ ବିଚ୍ଛିନ୍ନ ହୋଇଯାଇଛି।

Advertisment

ସେହିଭଳି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସ୍‌ଡିଏମ୍‌ଏ) ଅନୁଯାୟୀ, ଆସାମର କାମରୂପ ଜିଲ୍ଲାରେ ତିନି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ  ୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫ଟି ଜିଲ୍ଲାର ୧୨ ହଜାରରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଗୌହାଟୀ ଏବଂ ସିଲଚର ସହରାଞ୍ଚଳ ବନ୍ୟାର ସମ୍ମୁଖୀନ ହୋଇଛି। ବିସ୍ଥାପିତଙ୍କ ପାଇଁ ଅନେକ ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ସହରାଞ୍ଚଳ ବନ୍ୟାରେ କାମରୂପ, କାମରୂପ ମେଟ୍ରୋ ଓ କାଚର ସମେତ ତିନୋଟି ଜିଲ୍ଲାର ୫ଟି ରାଜସ୍ୱ ସର୍କଲ ପ୍ରଭାବିତ ହୋଇଛି।   ଲକ୍ଷ୍ମୀପୁରରେ ରିଂ ବନ୍ଧ ଭାଙ୍ଗି ଏକ ବିଶାଳ ଅଞ୍ଚଳ ଜଳମଗ୍ନ ହୋଇଛି। ଉଦ୍ଧାର କାର୍ଯ୍ୟରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସ୍‌ଡିଆରଏଫ) ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆରଏଫ) ମୁତୟନ କରାଯାଇଛି । ଆଇଏମ୍‌ଡିର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଗୌହାଟୀ ଏବଂ ଏହାର ଆଖପାଖ ଅଞ୍ଚଳରେ ୯୦ରୁ ୧୩୪ ମିଲିମିଟର ବର୍ଷା ହୋଇଛି ଏବଂ ଆଗକୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।  
ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭୂସ୍ଖଳନରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ପୂର୍ବ କାମେଙ୍ଗ ଜିଲ୍ଲାର ୧୩ ନମ୍ବର ଜାତୀୟ ରାଜପଥର ବାନା-ସେପ୍ପା ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି।   ଅନ୍ୟପକ୍ଷରେ ଲୋୟର ସୁବନସିରି ଜିଲ୍ଲାର ଜିରୋ-କମଲେ ରାସ୍ତାର ପାଇନ୍ ଗ୍ରୋଭ୍ ଅଞ୍ଚଳରେ ଭୂସ୍ଖଳନ ଘଟି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି।