ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ହେଲାଣି ଦେଶର ରାଜଧାନୀ। ଦିଲ୍ଲୀରେ ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯମୁନା ନଦୀରେ ଜଳସ୍ତର ବୃଦ୍ଧି। ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ଲଗାତାର ବଢ଼ିବାରେ ଲାଗିଛି। ହଥିନି କୁଣ୍ଡ ବ୍ୟାରେଜରୁ ନିରନ୍ତର ଛଡ଼ାଯାଉଥିବା ବନ୍ୟା ପାଣି ରାଜଧାନୀ ପାଇଁ ବିପଦର ଘଣ୍ଟି ବଜାଇଛି। ସୋମବାର ସକାଳେ ବ୍ୟାରେଜରୁ ପ୍ରାୟ ୩ଲକ୍ଷ ୨୯ହଜାର କ୍ୟୁସେକ ପାଣି ଛଡ଼ାଯାଇଥିଲା। ଏହା ସିଧାସଳଖ ଦିଲ୍ଲୀକୁ ପ୍ରଭାବିତ କରିଛି। ରାତିସାରା ପ୍ରବଳ ବର୍ଷା ପରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରକୁ ଯିବାରୁ ଏବେ ବନ୍ୟା ଜଳ ଦିଲ୍ଲୀ-ଏନସିଆରରେ ଥିବ‌ା ଘରଗୁଡ଼ିକରେ ପ୍ରବେଶ କରିଛି। ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବିଶେଷକରି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।

Advertisment

ଆଗ୍ରାରେ ମଧ୍ୟ ଯମୁନା ତାର ଭୟଙ୍କର ରୂପ ଦେଖାଇବାରେ ଲାଗିଛି। ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପହଞ୍ଚିଛି। ଘାଟରୁ ଶ୍ମଶାନ ପର୍ଯ୍ୟନ୍ତ ସବୁକିଛି ବୁଡ଼ି ଯାଇଛି। ତାଜଗଞ୍ଜ ଶ୍ମଶାନରେ ମୋକ୍ଷ ଧାମ ସ୍ଥଳ ବୁଡ଼ି ଯାଇଥିବା ଜଣାଯାଇଛି। ଏନେଇ ଆଗ୍ରା ପ୍ରଶାସନ ସତର୍କତା ଅବଲମ୍ବନ କରି ଯମୁନା କୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି।

ସୋମବାର ୨ଘଣ୍ଟାର ବର୍ଷାରେ ଗୁରୁଗ୍ରାମରେ ୨୦କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଜାମ୍ ଲାଗିଥିଲା ବୋଲି ଜଣାଯାଇଛି। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ଅନ୍ୟପକ୍ଷରେ ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଉବାକୁ ଥିବାରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ) ସୋମବାର ଦିନ ପୁରୁଣା ରେଳ ସେତୁରେ ସନ୍ଧ୍ୟା ୫ଟାରୁ ଯାତାୟାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଳବନ୍ଦୀ ସମସ୍ୟା ଏବଂ କମ୍ ଦୃଶ୍ୟମାନ୍ୟତା ଯୋଗୁଁ ରାଜଧାନୀରେ ବିମାନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି, ଯାହା ଫଳରେ ବିମାନ କମ୍ପାନିଗୁଡ଼ିକ ଯାତ୍ରା ପରାମର୍ଶ ଜାରି କରିଛନ୍ତି।

ଯଦି ଆମେ ଦେଖିବ‌ା ତେବେ ୨୦୨୩ ମସିହାରେ ଦିଲ୍ଲୀ ଏହାର ସବୁଠାରୁ ଖରାପ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଯେତେବେଳେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଏହା ଫଳରେ ୨୫,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।