ଜିଓ ବ୍ରାଣ୍ଡକୁ ବ୍ୟବହାର କରି ଅଟା ପ୍ରସ୍ତୁତ କରୁଥିଲେ ଠକ, ମାଡିବସିଲା ପୁଲିସ

ସୁରଟ: ଟେଲିକମ ଇଣ୍ଡଷ୍ଟ୍ରି ପରେ ଜିଓ ଅଟା | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଜିଓ ବ୍ରାଣ୍ଡକୁ ବ୍ୟବହାର କରି ଅଟା ବ୍ୟବସାୟ କରୁଥିବା କିଛି ଠକଙ୍କୁ ପୁଲିସ ଗିରଫ କରିବା ପରେ ଏଘଟଣା ବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଗୁଜୁରାଟର ସୁରଟରେ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନାମରେ ଅଟା ବିକ୍ରି କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ଚାରିଜଣ ଅଭିଯୁକ୍ତ ଜିଓ ଟ୍ରେଡ୍ ମାର୍କ ବ୍ୟବହାର କରି ବେଆଇନ ଭାବେ ଅଟା ବିକ୍ରି କରୁଥିଲେ। ବୁଧବାର ଦିନ ପୁଲିସ ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଜିଓ ବ୍ରାଣ୍ଡ ନାମ ବ୍ୟବହାର କରି ଅଟା ବିକ୍ରି କରୁଥିବା ରାଧାକୃଷ୍ଣ ଟ୍ରେଡିଂ କମ୍ପାନୀ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଛି। ସୁରଟ ଜୋନ୍ ର ଡେପୁଟି କମିଶନର (ଡିସିପି) ବିଧି ଚୌଧୁରୀ କହିଛନ୍ତି ଯେ ଟ୍ରେଡ୍ ମାର୍କ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଡିସିପିଙ୍କ କହିବା ମୁତାବକ ରିଲାଏନ୍ସ ଜିଓ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ତାଙ୍କ ବ୍ରାଣ୍ଡକୁ ବ୍ୟବହାର କରି ଅଟା ପ୍ରସ୍ତୁତ କରାଯାଉଛି ଓ ଏହାକୁ ମାର୍କେଟରେ ବିକ୍ରି କରାଯାଉଛି |

ଜିଓ ପକ୍ଷରୁ ଟେଲିକମକୁ ଛାଡି କୌଣସି ପ୍ରକାରର ଅନ୍ୟ ବ୍ୟବସାୟ କରାଯାଉନଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା | ଏହି ଅଭିଯୋଗ ପାଇବା ପରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜାନୁଆରୀ ୮ ତାରିଖରେ ଯେତେବେଳେ ‘ଜିଓ ଡାଟା ପରେ ଜିଓ ଅଟା’ ଶୀର୍ଷକରେ ଏକ ଟିଭି ଚ୍ୟାନେଲରେ ଖବର ପ୍ରସାରଣ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ରାଧାକୃଷ୍ଣ ଟ୍ରେଡିଂ କମ୍ପାନୀ ଏହାର ଅଟା ବ୍ୟାଗରେ ଜିଓର ଲୋଗୋ ଲଗାଇ ବିକ୍ରି କରୁଛି। ନିଜ ଆର୍ଥିକ ଲାଭ ପାଇଁ ଜିଓର ଟ୍ରେଡ୍ ମାର୍କର ଅପବ୍ୟବହାର କରିଥିବାର ଅଭିଯୋଗ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

ସମ୍ବନ୍ଧିତ ଖବର