କୋଲ୍କାତା: ଉଡ଼ନ୍ତା ବିମାନରେ ଜଣେ ସହଯାତ୍ରୀ ଯୌନଉତ୍ପୀଡ଼ନ ଦେଇଥିବା କଥା ଆତ୍ମୀୟସ୍ବଜନଙ୍କ ସହିତ ଯାତ୍ରା କରୁଥିବା ଜଣେ ୨୬ ବର୍ଷୀୟା ଦାର୍ଜିଲିଙ୍ଗ୍ ଯୁବତୀ ଅଭିଯୋଗ କରିଥିବା କଥା ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
ସହଯାତ୍ରୀଜଣକ ଯୁବତୀଙ୍କୁ ଅଭଦ୍ରୋଚିତ ଭାବେ ସ୍ପର୍ଶ କରିଥିବା ଜାଣିସୁଦ୍ଧା ସ୍ପାଇଜେଟ୍ ଏୟାର୍ଲାଇନ୍ସ୍ର ଉକ୍ତ ବିମାନରେ ଥିବା କର୍ମଚାରୀ, ବାଗଦୋଗ୍ରାରେ ଥିବା ‘ସିଆଇଏସ୍ଏଫ୍’ କର୍ମଚାରୀମାନେ ତାଙ୍କୁ ଅଭିଯୋଗ ଫାଇଲ କରିବାରୁ କ୍ଷାନ୍ତ କରାଇଥିବା କଥା ସେ କହିଛନ୍ତି।
ସେମାନେ କହିଥିଲେ, ସହଯାତ୍ରୀଜଣକ ଛାତ୍ର। ଏ ଘଟଣା କିଛି ପ୍ରମାଣ ନ ଥିବାରୁ ସହଯାତ୍ରୀଙ୍କ ବିରୋଧରେ ଏହା ମିଥ୍ୟା ଅଭିଯୋଗ ଭଳି ହେବ। ତା’ପରେ ସେମାନେ ସହଯାତ୍ରୀଙ୍କୁ ସେ ଯୁବତୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରି ମାମଲାର ଆପୋସ ସମାଧାନ ପାଇଁ ଉଦ୍ୟମ କରିଥିଲେ।
ଏୟାର୍ଲାଇନ୍ସ୍ର ମୁଖପାତ୍ର କହିଛନ୍ତି, କ୍ୟାବିନ୍ କ୍ରୁ’ ତୁରନ୍ତ ଏହି ଘଟଣାର ପ୍ରତିକାର କରିଥିଲେ। ବାଗଦୋରାରେ ଅବତରଣ କରିବା ପରେ ବିମାନର ସୁରକ୍ଷା କର୍ମଚାରୀମାନେ ଦୁହିଁଙ୍କୁ ‘ସିଆଇଏସ୍ଏଫ୍’ କାର୍ଯ୍ୟଳୟକୁ ନେଇଥିଲେ। ସେଠାରେ ଅଭିଯୁକ୍ତ ସେ ଯୁବତୀଙ୍କୁ କ୍ଷମାଭିକ୍ଷା କଲେ। ଯୁବତୀଜଣକ ଅଭିଯୋଗ ନ କରି ବିମାନ ବନ୍ଦରରୁ ଚାଲି ଆସିଲେ।
ସଂଗୃହୀତ ସୂଚନା ଅନୁସାରେ, ସିଭିଲ୍ ସର୍ଭିସ୍ ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିବା ସେ ଯୁବତୀଜଣକ ଜାନୁଆରି ୩୧ ତାରିଖ ଦିନ ସ୍ପାଇସ୍ଜେଟ୍ ବିମାନ ଏସ୍ଜି ୫୯୨ରେ ତାଙ୍କ ମାଆ, ଅସୁସ୍ଥ ବାପା ଓ ବୟଫ୍ରେଣ୍ଡ୍ଙ୍କ ସହିତ ଯାତ୍ରା କରୁଥିଲେ। ସେ ବିମାନରେ ଥିବା ଆଉ ଗୋଟିଏ ୩ଟିକିଆ ସିଟ୍ରେ କେବଳ ଜଣେ ଯାତ୍ରୀ ବସିଥିଲେ। ବାକି ଦୁଇଟି ସିଟ୍ ଫାଙ୍କା ଥିବା ଦେଖି ଯୁବତୀଙ୍କ ମାଆ କହିଲେ କି, ସେ (ଯୁବତୀ) ଯାଇ ସେଠାରେ ବସୁ। ସେଠାରେ ବସିଥିବା କୋଲ୍କାତାର ଏକ ଆଇନ ସ୍କୁଲ୍ରେ ପଢୁଥିବା ଉକ୍ତ ଯୁବକ ଆପତ୍ତି ନ କରି ରାଜି ହୋଇଗଲେ।
ସକାଳ ପ୍ରାୟ ୯.୩୦ରେ ବିମାନ ଉଡ଼ାଣ ଆରମ୍ଭ କଲା ଓ ଯୁବତୀଜଣକ ଇୟର୍ଫୋନ୍ ଲଗାଇ ଗୀତ ଶୁଣିଲେ। କିଛି ସମୟ ପରେ ସେ ଯୁବକ ଉକ୍ତ ଯୁବତୀଙ୍କୁ ରଥକୁ ଥର ଅଭଦ୍ରୋଚିତ ଭାବେ ସ୍ପର୍ଶ କଲେ। ଯୁବତୀଜଣକ ଚିତ୍କାର କରିବାରୁ ଜଣେ ପରିଚାରିକା ଧାଇଁ ଆସିଲେ। ଘଟଣା ବିଷୟରେ ଜାଣିବା ପରେ ସେ ଯୁବକଙ୍କୁ ଅନ୍ୟ ଧାଡ଼ିର ସିଟ୍କୁ ସ୍ଥାନାନ୍ତର କରାଗଲା।
ବିମାନ ଅବତରଣ କରିବା ପରେ ଯୁବତୀଜଣକ ଅଭିଯୋଗ ଦାଏର କରିବାକୁ ବାହାରିବାରୁ ସେମାନେ ତାଙ୍କୁ ତାହା ନ କରିବାକୁ କହିଲେ।