‘ମୁମ୍-ଡେଲ୍‌’ ବଦଳରେ ‘ବମ୍‌-ଡେଲ୍‌’ କହିବା ମହଙ୍ଗା ପଡ଼ିଲା, ପ୍ରବାସୀ ଭାରତୀୟ ବିମାନଯାତ୍ରୀ ଗିରଫ

ମୁମ୍ବାଇ: ବିମାନ ଯାତ୍ରୀଙ୍କୁ ‘ବମ୍‌ ଡେଲ୍‌’ କହିବା ମହଙ୍ଗା ପଡ଼ିଛି। ଏହି ଶବ୍ଦ କହି ଜଣେ ଭାରତରେ ଜନ୍ମିତ ବିଦେଶୀ ନାଗରିକ ଗିରଫ ହୋଇଥିବା ସୋମବାର ଜଣାପଡ଼ିଛି। ଘଟଣା ଥିଲା ଏମିତି। ଆମେରିକାର ଏକ ଆଇଟି କମ୍ପାନିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବରେ କାର୍ଯ୍ୟରତ ବିନୋଦ ମୁର୍‌ଯାନି(୪୫) ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣାର ଶିକାର ହେବାକୁ ପଡ଼ିଛି। ‘ଏୟାର ଇଣ୍ଡିଆ’ ଯାତ୍ରୀ ବିନୋଦଙ୍କୁ ଦିଲ୍ଲୀରୁ ରୋମ୍‌ ଦେଇ ପରେ ଭର୍ଜିନିଆ ପହଞ୍ଚିବାର ଥିଲା। ସାଥୀରେ ପତ୍ନୀ ଓ ୨ଜଣ ପିଲା ମଧ୍ୟ ଥିଲେ।

ପାଗ ଖରାପ ଥିବାରୁ ବିମାନଟି ରବିବାର ମୁମ୍ବାଇରୁ ଦିଲ୍ଲୀ ବିଳମ୍ବରେ ଛାଡ଼ିଥିଲା। କିନ୍ତୁ ତା’ ପୂର୍ବରୁ ମୁର୍‌ଯାନି ବିରକ୍ତି ପ୍ରକାଶ କରି ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର କତ୍ତୃପକ୍ଷଙ୍କ ଟୋଲ୍‌ ଫ୍ରି ନମ୍ବରକୁ କଲ ଅପରାହ୍ନ ୨ଟା ୩୦ରେ କରିଥିଲେ। ଏହି ସମୟରେ ସେ ଅପରେଟରଙ୍କୁ ‘ବମ୍‌-ଡେଲ ଷ୍ଟାଟସ୍‌’ କ’ଣ ଅଛି ବୋଲି ପଚାରି ଦେଇଥିଲେ। କିନ୍ତୁ ଯାତ୍ରୀଙ୍କୁ ମୁମ୍ବାଇ-ଦିଲ୍ଲୀ ବିମାନ ଛାଡ଼ିବା ନେଇ ପଚାରିବାର ମୂଳ ଆଭିମୁଖ୍ୟ ଥିଲା।

ଭାଷାକୁ ଭଲ ଭାବରେ ବୁଝି ନପାରିବାରୁ ଅପରେଟର୍‌ ପଚାରି ଥିଲେ ଏହାର ଅର୍ଥ କ’ଣ। ପରେ ମୁର୍‌ଯାନି ଫୋନ୍‌ ରଖି ଦେଇଥିଲେ। ଟୋଲ୍‌ ଫ୍ରି ନମ୍ବରରୁ ଆସିଥିବା କଲକୁ ଅପରେଟର୍‌ ‘ବମ୍‌ ହେ ଅର୍ଥାତ୍‌ ବମ୍‌ ଅଛି’ ବୋଲି ଶୁଣିଥିଲେ। ପରେ ସେ ସନ୍ଦେହ କରିଥିଲେ। ଠିକ୍‌ ୨ ଘଣ୍ଟା ପରେ ଅପରାହ୍ନ ୪ଟା ୩୦ରେ ମୁର୍‌ଯାନି, ତାଙ୍କ ପତ୍ନୀ ଓ ପିଲାଛୁଆଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା।

ପୁଲିସର ବୟାନ ଅନୁସାରେ ମୁର୍‌ଯାନିଙ୍କ ବମ୍‌(ବୋମା) ଶବ୍ଦ କହିଥିଲେ। ପରେ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା ଯେ, ମୁର୍‌ଯାନି ଏକ ବୁଥ୍‌ରୁ ଜରୁରୀକାଳିନ ନମ୍ବରକୁ କଲ୍‌ କରିଥିଲେ। ଡରାଇବା କଲ୍‌ ଯୋଗୁଁ ମୁର୍‌ଯାନିଙ୍କୁ ଗିରଫ କରାଯାଇଥିଲା ବୋଲି ସେହର ପୁଲିସ୍‌ ଷ୍ଟେସନ ଇନ୍‌ସପେକ୍ଟର ଲତା ସିରସ୍ତା ଏହା ସ୍ପଷ୍ଟ କରିଛନ୍ତି। ମୁର୍‌ଯାନିଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୫୦୫(୧) (ବି) ଓ ୫୦୬(ଆଇଆଇ) ରବିବାର ସନ୍ଧ୍ୟା ୬ଟା ୩୦ରେ ଗିରଫ କରାଯାଇଥିଲା। ଅନ୍ଧେରୀ ମେଟ୍ରୋପଲିଟାନ କୋର୍ଟରେ ସୋମବାର ୧୫,୦୦୦ଟଙ୍କାରେ ଜାମିନ ମୁର୍‌ଯାନିଙ୍କୁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର