ଆଉ ସହଜ ହେବନି ରାଜନୈତିକ ଚାନ୍ଦା ଆଦାୟ

ଇଲେକ୍ଟରାଲ ବଣ୍ଡର ରୂପରେଖ ଘୋଷଣା କଲେ ଜେଟଲୀ

ନୂଆଦିଲ୍ଲୀ: ରାଜନୈତିକ ଚାନ୍ଦା ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ସରକାର କେତେକ ପଦକ୍ଷେପ ନେଇଛନ୍ତି । ଏଥିଲାଗି କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାରଦିନ ଇଲେକ୍ଟୋରାଲ ବଣ୍ଡ୍‌ର ପ୍ରଚଳନ ବାବଦରେ ଘୋଷଣା କରାଯାଇଛି । ରାଜନୈତିକ ଦଳ ମାନଙ୍କୁ ଦିଆଯାଉଥିବା ନଗଦ ଚାନ୍ଦାର ବିକଳ୍ପ ଭାବେ ଏହାର ପ୍ରଚଳନ କରାଯାଉଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଙ୍ଗଳବାରଦିନ ଏହି ଇଲେକ୍ଟରାଲ ବଣ୍ଡ୍‌ର ରୂପରେଖ ସଂପର୍କରେ ସଂସଦରେ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଷ୍ଟେଟ୍‌ ବ୍ୟାଙ୍କର କେତେକ ନିର୍ଦ୍ଦିଷ୍ଟ ଶାଖାରେ ଏହି ବଣ୍ଡ ବିକ୍ରି କରାଯିବ । ଏହି ବଣ୍ଡ୍‌ ଜାନୁୟାରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ମାସରେ ୧୦ ଦିନ ପାଇଁ ବିକ୍ରି କରାଯିବ । ଏହି ବଣ୍ଡ୍‌ଗୁଡିକର ବୈଧତା ୧୫ ଦିନ ପାଇଁ ରହିବ । ଯଦିଓ ବଣ୍ଡରେ ଦାତାଙ୍କ ନାମ ଉଲ୍ଲେଖ ରହିବ ନାହିଁ, ତେବେ ବ୍ୟାଙ୍କରେ ତାଙ୍କୁ କେଓ୍ଵାଇସି ନିୟମକୁ ପାଳନ କରିବାକୁ ପଡିବ । ଅର୍ଥାତ୍‌ ଆଧାର କାର୍ଡ, ପ୍ୟାନକାର୍ଡ ଆଦି ବିବରଣୀ ଦେବାକୁ ପଡିପାରେ । ଅନ୍ୟପକ୍ଷରେ ରାଜନୈତିକ ଦଳମାନେ ନିଜର ବ୍ୟାଙ୍କ ଖାତା ମାଧ୍ୟମରେ ଏହି ବଣ୍ଡକୁ ଭଙ୍ଗେଇ ପାରିବେ ।

ଗତ ୨୦୧୭-୧୮ ବଜେଟରେ ଅର୍ଥମନ୍ତ୍ରୀ ଜେଟଲୀ ଏ ସଂପର୍କରେ ଘୋଷଣା କରିଥିଲେ । ରାଜନୈତିକ ଚାନ୍ଦାକୁ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଏହି ଘୋଷଣା କରାଯାଇଥିଲା । ଏବେ ରାଜନୈତିକ ଦଳମାନେ ନଗଦ ଟଙ୍କା ଆକାରରେ ଚାନ୍ଦା ସଂଗ୍ରହ କରୁଛନ୍ତି । ଏହା ଫଳରେ ଦାତାଙ୍କ ନାମ ଜଣାପଡୁନାହିଁ ଓ ଚାନ୍ଦାର ପରିମାଣ ମଧ୍ୟ ଜାଣିହେଉନାହିଁ । କିନ୍ତୁ ନୂଆ ବ୍ୟବସ୍ଥା ଅନୁସାରେ ଚାନ୍ଦା ସିଧାସଳଖ ଦଳମାନଙ୍କ ବ୍ୟାଙ୍କ ଖାତାକୁ ଯିବ । ସରକାର ମଧ୍ୟ ଦାତା କିଏ ଜାଣିପାରିବେ ।

ସମ୍ବନ୍ଧିତ ଖବର