ନୂଆଦିଲ୍ଲୀ : କରୋନା ମାହମାରୀ ଦ୍ବାରା ଗୁରୁତରଭାବେ ପ୍ରଭାବିତ ଅର୍ଥନୀତି ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାୟ ୬ ଲକ୍ଷ ୨୮ ହଜାର ୯୯୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ମାଧ୍ୟମରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ମହାମାରୀ ଦ୍ବାରା ପ୍ରଭାବିତ ବିଭିନ୍ନ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବିଭିନ୍ନ ସ୍କିମ ଘୋଷଣା କରାଯାଇଛି ।
ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୫୦ ହଜାର କୋଟିର ପ୍ୟାକେଜ ଘୋଷଣା କରାଯାଇଛି । ଏହା ମାଧ୍ୟରେ ବିଭିନ୍ନ ସହର ଓ ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯିବ । ଏହା ଛଡ଼ା ଜନସ୍ବାସ୍ଥ୍ୟ ବିଶେଷକରି ଶିଶୁମାନଙ୍କ ସ୍ବାସ୍ଥ୍ୟସେବା ପାଇଁ ଅତିରିକ୍ତ ୨୩୨୨୦ କୋଟିର ପ୍ୟାକେଜ ଘୋଷଣା କରାଯାଇଛି । ଏହି ରାଶି ଚଳିତ ଆର୍ଥିକ ବର୍ଷରେ ହିଁ ବ୍ୟୟ ହେବ ।
ଗରିବଙ୍କୁ ମାଗଣା ରେସନ ସ୍କିମକୁ ନଭେମ୍ବର ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏବାବଦରେ ସରକାର ପ୍ରାୟ ୯୩,୮୬୯ କୋଟି ଟଙ୍କା ବ୍ୟୟ କରିବେ । ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ଜୁନ ୩୦, ୨୦୨୧ରୁ ମାର୍ଚ୍ଚ ୩୧, ୨୦୨୨ ପର୍ୟ୍ୟନ୍ତ ବଢାଇଦିଆଯାଇଛି । ସେହିପରି ଚାଷୀମାନଙ୍କୁ ସାର ସବସୀଡି ବାବଦରେ ଅତିରିକ୍ତ ୧୫ ହଜାର କୋଟି ବ୍ୟୟ କରାଯିବ ।
ସେହିପରି ପର୍ୟ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାର ୫ ଲକ୍ଷ ମାଗଣା ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ବିଦେଶୀ ପର୍ୟ୍ୟଟକମାନଙ୍କୁ ଭାରତକୁ ଆକୃଷ୍ଟ କରିବାକୁ ଏହି ଘୋଷଣା କରାଯାଇଛି । ଏହା ଛଡ଼ା ଟୁରିଷ୍ଟ ଗାଇଡମାନଙ୍କ ପାଇଁ ଆର୍ଥିକ ସ୍କିମ ଘୋଷଣା କରାଯାଇଛି ।