କୋଭିଡ୍ ଅନାଥଙ୍କୁ ୧୯ ଲକ୍ଷର ଋଣ ପରିଶୋଧ ନୋଟିସ : ହସ୍ତକ୍ଷେପ କଲେ ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ : କୋଭିଡ୍ ମହାମାରୀରେ ଅନାଥ ହୋଇଥିବା ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଋଣ ପରିଶୋଧ ନୋଟିସ ଆସିବା ମାମଲାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଘଟଣା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆର୍ଥିକ ସେବା ବିଭାଗ ଓ ଏଲଆଇସିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ଘଟଣାର ବର୍ତ୍ତମାନ ସ୍ଥିତି ସଂପର୍କରେ ଜଣାଇବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୮ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିବା ବନିଶା ପାଠକ ସମଗ୍ର ରାଜ୍ୟରେ ସୁନାମ ଅର୍ଜନ କରିଥିବାବେଳେ ତାଙ୍କ ପାଖକୁ ଆସିଥିବା ୨୯ ଲକ୍ଷ ଟଙ୍କାର ଋଣ ପରିଶୋଧ ନୋଟିସ ତାଙ୍କ ନିଦ ହଜାଇ ଦେଇଛି ।

 

ତାଙ୍କ ବାପା ଜୀତେନ୍ଦ୍ର ପାଠକ ଜଣେ ଏଲଆଇଏସ ଏଜେଣ୍ଟ ଥିଲେ ଓ ସେ ଏଲଆଇସି ମାଧ୍ୟମରେ ଏକ ଗୃହ ଋଣ ନେଇଥିଲେ । କିନ୍ତୁ ଉଭୟ ଜୀତେନ୍ଦ୍ର ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିବା ପରେ ବନିଶା ଓ ତାଙ୍କ ୧୪ ବର୍ଷୀୟ ଭାଇ ଭିଭାନ ଅନାଥ ହୋଇଯାଇଥିଲେ । ତେବେ ଏଲଆଇସି ପକ୍ଷରୁ ତାଙ୍କ ନିକଟକୁ ୨୯ ଲକ୍ଷ ଟଙ୍କାର ଏକ ପରିଶୋଧ ନୋଟିସ ପଠାଯାଇଛି ଓ ପରିଶୋଧ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଚେତାବନୀ ଦିଆଯାଇଛି ।

ତେବେ ଉଭୟ ଭାଇ ଓ ଭଉଣୀ ସାବାଳକ ହୋଇନଥିବାରୁ ତାଙ୍କ ବାପାଙ୍କ ବୀମା ରାଶି ଓ ମାସିକ କମିଶନ ସେମାନେ ପାଇପାରୁନାହାନ୍ତି  । ୧୮ ବର୍ଷ ହେଲେ ପରେ ହିଁ ସେମାନେ ଋଣ ପରିଶୋଧ କରିପାରିବେ ବୋଲି ବନିଶା ବାରମ୍ବାର ପତ୍ର ଲେଖି ଏଲଆଇସିକୁ ଜଣାଇଥିଲେ ବି ତାହାର କୌଣସି ଉତ୍ତର ମିଳୁନଥିଲା । ବରଂ ବାରମ୍ବାର ନୋଟିସ ଆସିଚାଲିଥିଲା । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅର୍ଥମନ୍ତ୍ରୀଙ୍କ ନଜରକୁ ଆସିଥିଲା ।

ସମ୍ବନ୍ଧିତ ଖବର