ବଜେଟ୍ ଭାଷଣରେ କଶ୍ମୀରୀ କବିତା ଶୁଣାଇଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ସଂସଦରେ ୨୦୨୦-୨୧ ସାଧାରଣ ବଜେଟ୍  ଉପସ୍ଥାପନ କରିବା ପୂର୍ବରୁ ନିଜର ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଜଣେ କବିଙ୍କର ଏକ କଶ୍ମୀରୀ କବିତାର ହିନ୍ଦୀ ଭାଷାନ୍ତର ଶୁଣାଇ ଭାରତବର୍ଷ ସବୁଠାରୁ ପ୍ରିୟତମ ବୋଲି ଦର୍ଶାଇଥିଲେ।

କଶ୍ମୀରୀ କବି ପଣ୍ଡିତ ଦୀନାନାଥ କୌଲଙ୍କର  କବିତାର ଯେଉଁ ପଂକ୍ତି  ଶୁଣାଇଥିଲେ , ତାହା ହେଲା, ‘ ହମାରା ବତନ୍ ଖିଲତେ ହୁଏ ଶାଲିମାର୍ ବାଗ୍ ଜୈସେ, ହମାରା ବତନ୍ ଡାଲ୍ ଝିଲମେଁ ଖିଲତେ ହୁଏ କମଲ୍ ଜୈସା, ନୌଜୱାନୋଁକେ ଗରମ୍ ଖୁନ୍ ଜୈସା, ମେରା ବତନ୍, ତେରା ବତନ୍, ହମାରା ବତନ୍, ଦୁନିୟାକା ସବସେ ପ୍ୟାରା ବତନ୍।’ ଏଥିସହ ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତକୁ ଦୁନିଆର ସବୁଠାରୁ ଭଲ ରାଷ୍ଟ୍ର ଭାବେ ଗଢ଼ିବାକୁ ଆମେ ପ୍ରୟାସ କରୁଛୁ।

ସୂଚନାଯୋଗ୍ୟ, ଶନିବାର ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିସହ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଆଗତ ହୋଇଛି। ଅନ୍ୟପକ୍ଷରେ ଦ୍ବିତୀୟ ଥର ଶାସନ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରର ଏହା ପ୍ରଥମ ବଜେଟ୍। ଉପସ୍ଥାପିତ ହେବା ପୂର୍ବରୁ ବଜେଟ୍‌-୨୦୨୦-୨୧କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଥିଲେ। ଏହା ନିର୍ମଳା ସୀତାରମଣଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌।

ଅଭିଭାଷଣ ଆରମ୍ଭରେ ସେ ଦିବଂଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଜିଏସ୍‌ଟି ପ୍ରଚଳନ କରାଇବାରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ବଜେଟ୍‌ ୨୦୨୦ ଦେଶବାସୀଙ୍କର କର୍ମସଂସ୍ଥାନ ସମସ୍ୟା ସମାଧାନ କରିବ, ବାଣିଜ୍ୟକୁ ସମୃଦ୍ଧ କରିବ, ସମସ୍ତ ସଂଖ୍ୟାଲଘୁ, ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିବିଶେଷଙ୍କର ଆକାଙ୍‌କ୍ଷା ପୂରଣ କରିବା ଲକ୍ଷ୍ୟ ରଖିଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର