ଆମ ଆତଙ୍କବାଦୀକୁ ମାରିଲ କାହିଁକି ? ଭାରତକୁ ପଚାରିଲା ପାକିସ୍ତାନ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ସହାୟତା ଦେଉଥିବା କାରଣରୁ ବିଶ୍ବ ସମୁଦାୟ ପାକିସ୍ତାନକୁ ସମାଲୋଚନା କରୁଥିବା ସତ୍ତ୍ବେ ପାକିସ୍ତାନ ସେଥିପ୍ରତି ଭୂକ୍ଷେପ କରୁନାହିଁ । ଏରପରିକି ଏବେ ପାକିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ଥିବା ନିଜ ଭୂମିକାକୁ ଆଉ ଲୁଚାଉନାହିଁ । ଓଲଟି ଆତଙ୍କବାଦୀଙ୍କୁ ମାରୁଥିବା ଦେଶ ଉପରେ ମାନବ ଅଧିକାର ହନନ ଅଭିଯୋଗ ଲଗାଉଛି ।

ନିକଟରେ ଭାରତରେ ଅନୁପ୍ରବେଶ କରିଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀ ସେନା ଦ୍ବାରା ଧରା ପଡ଼ି ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ମୃତ୍ୟୁବରଣ କରିଥିଲା । ତାର ମୃତଦେହ ମଧ୍ୟ ଭାରତ ପାକିସ୍ତାନକୁ ଦେଇଥିଲା । ମାତ୍ର ବୁଧବାରଦିନ ଏହା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଇସ୍ଲାମାବାଦରେ ଥିବା ଭାରତୀୟ କୂଟନୀତିଜ୍ଞମାନଙ୍କ ଡକାଇ ଉକ୍ତ ଆତଙ୍କବାଦୀ ମୃତ୍ୟୁର ପ୍ରତିବାଦ ଜଣାଇଛି । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଉକ୍ତ ବ୍ୟକ୍ତିର ମାନସିକ ଅବସ୍ଥା ଠିକ ନଥିଲା ଓ ସେ ଅଜାଣତରେ ଭାରତରେ ପ୍ରବେଶ କରିଥିଲା । କିନ୍ତୁ ଭାରତୀୟ ସେନା ତାକୁ ମାରିଦେଇଥିଲା ।

ତବାରକ ହୁସେନ ନାମକ ଏହି ଆତଙ୍କବାଦୀକୁ ଗତ ୨୧ ତାରିଖରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ନିକଟରୁ ଗିରଫ କରିଥିଲା । ସେ ଆଉ ୩-୪ ଜଣ ଆତଙ୍କବାଦୀଙ୍କ ସହ ଭାରତରେ ଅନୁପ୍ରବେଶ କରିବାବେଳେ ଗିରଫ ହୋଇଥିଲା । ଏହି ଗ୍ରୁପକୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ କରି ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ପଠାଯାଇଥିଲା ।

ତାକୁ ଜେରା କରିବାବେଳେ ସେ କହିଥିଲୀ ଯେ, ସେ ଓ ଅନ୍ୟ ୪-୫ ଜଣଙ୍କୁ ଭାରତରେ ଆତ୍ମଘାତୀ ହମଲା କରିବାକୁ ପାକିସ୍ତାନ ସେନାର ଜନୈକ କର୍ଣ୍ଣେଲ ୟୁନୁସ ପଠାଇଥିଲେ । ଭାରତୀୟ ସେନା ପୋଷ୍ଟଗୁଡ଼ିକ ଉପରେ ଆକ୍ରମଣ କରିବାକୁ ତାକୁ ୩୦ ହଜାର ଟଙ୍କା ଦିଆଯାଇଥିଲା ।

ସମ୍ବନ୍ଧିତ ଖବର