ଘରକୁ ଘର ବୁଲି ସର୍ଭେ ଓ ପରୀକ୍ଷା ତ୍ବରାନ୍ବିତ ଉପରେ ଧ୍ୟାନ ଦେବାକୁ ୧୦ଟି ରାଜ୍ୟର ୪୫ଟି ପୌରସଂସ୍ଥାକୁ କହିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ୧୦ଟି ରାଜ୍ୟର ୩୮ଟି ଜିଲ୍ଲା‌ରେ ସଂକ୍ରମଣ ଦମନ ଏବଂ ମୃତ୍ୟୁହାର ହ୍ରାସ କରିବା ନିମନ୍ତେ ଘରକୁ ଘର ବୁଲି ସର୍ଭେ କରିବା, ତୁରନ୍ତ ନମୁନା ପରୀକ୍ଷା କରିବା ଏବଂ ସକ୍ରିୟ ସର୍ଭିଲେନ୍ସ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ୪୫ଟି ପୌରସଂସ୍ଥାକୁ ସୋମବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନ‌େ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ୪୫ଟି ପୌର ନିଗମର ଜିଲ୍ଲାପାଳ, ପୌର କମିସନର, ଜିଲ୍ଲା ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ୍ ଏବଂ ମେଡିକାଲ୍ କଲେଜ୍‌ର ଅଧ୍ୟକ୍ଷମାନଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ।

ଏହି ୪୫ଟି ପୌରାଞ୍ଚଳ ମଧ୍ୟରେ ରହିଛି ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, ରାଜସ୍ଥାନ, ହରିୟାଣା, ଗୁଜରାଟ, ଜମ୍ମୁ ଓ କଶ୍ମୀର, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶର ୩୮ଟି ଜିଲ୍ଲା।

ଲକ୍‌ଡାଉନ୍‌ କୋହଳ ଏବଂ କଟକଣା ଉଠିଯିବା ଦୃଷ୍ଟିରୁ ଆଗାମୀ ମାସମାନଙ୍କ ପାଇଁ ଜିଲ୍ଲାୱାରି ପ୍ରସ୍ପେକ୍ଟିଭ୍ ପ୍ଲାନ୍ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ,‌ ସୋମବାର ରାତି ୮ଟା ସୁଦ୍ଧା ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୭, ୨୦୦ ବୃଦ୍ଧି ପାଇ ସମୁଦାୟ ୨, ୫୬, ୬୧୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ଆଉ ୨୭୧ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର