କରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ଜରୁରୀ ନୁହେଁ, ମାଇକ୍ରୋ-କଣ୍ଟେନମେଣ୍ଟ୍ ଉପରେ ଗୁରୁତ୍ବ ଦିଅ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରି ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । କରୋନାର ୨ୟ ଲହରୀର ମୁକାବିଲା କରିବାକୁ ଆମକୁ ପରୀକ୍ଷା ବଢାଇବାକୁ ପଡ଼ିବ, ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ମହାମାରୀର ନିୟନ୍ତ୍ରଣ ପାଇଁ ଲକଡାଉନ ଜରୁରୀ ନୁହେଁ । ଆମକୁ ସ୍ଥାନୀୟ ଅବରୋଧ ଅଞ୍ଚଳ ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ବ ଦେବାକୁ ହେବ ।  ଆମକୁ ମଧ୍ୟ  କରୋନା ପରୀକ୍ଷାକୁ ବ୍ୟାପକ କରିବାକୁ ହେବ । ଏହା ମଧ୍ୟରୁ ୭୦ ପ୍ରତିଶତ ଆରଟି-ପିସିଆର ପରୀକ୍ଷା କରିବାକୁ ହେବ ।

ଅନ୍ୟପକ୍ଷରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ବ ଦେବାକୁ ହେବ । ସଂକ୍ରମିତ ବ୍ୟକ୍ତି ମିଳାମିଶା କରିଥିବା ଅତିକମରେ ୩୦ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କର ପରୀକ୍ଷା କରିବାକୁ ହେବ । ସେହିପରି କଣ୍ଟେନମେଣ୍ଟ ଜୋନର ପ୍ରତି ବ୍ୟକ୍ତିଙ୍କର ପରୀକ୍ଷା ହେବା ଆବଶ୍ୟକ ।

କରୋନାକୁ ହରାଇବାକୁ ହେଲେ ଆମକୁ ପରୀକ୍ଷା, ଟ୍ରେସିଂ ଓ ଚିକିତ୍ସା ଉପରେ ଗୁରୁତ୍ବ ଦେବାକୁ ହେବ । ଅନ୍ୟପକ୍ଷରେ ଟିକା ନେଇଥିଲେ ମଧ୍ୟ ଆମକୁ କୋଭିଡ କଟକଣାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ହେବ ।

ସମ୍ବନ୍ଧିତ ଖବର