ଗୋଖାଦ୍ୟ ଦୁର୍ନୀତି: ଦେହ ଭଲ ନ ଥିବା ଦର୍ଶାଇ ସର୍ବନିମ୍ନ ଦଣ୍ଡ ପାଇଁ ଆବେଦନ କଲେ ଲାଲୁ

ରାଞ୍ଚି: ଦଣ୍ଡାଦେଶ ପୂର୍ବରୁ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଆଜି ଅଦାଲତରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ ସର୍ବନିମ୍ନ ଦଣ୍ଡବିଧାନ କରିବା ଲାଗି ଏକ  ଆବେଦନ ପତ୍ର ଦାଖଲ କରିଛନ୍ତି। ତାଙ୍କର ହାର୍ଟ ସର୍ଜରି ହେବା ସହ ଡାଇବେଟିସ୍‌ ଥିବା କଥା ସେ ଏଥିରେ ଉଲ୍ଲେଖ କରିଛନ୍ତି।

ଲାଲୁ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ବ୍ଲାଡର୍‌ ଇନ୍‌ଫେକ୍‌ସନ୍‌ ସମସ୍ୟା ମଧ୍ୟ ରହିଛି। ବିର୍ସା ମୁଣ୍ଡା ଜେଲ୍‌ରେ ଶୁଦ୍ଧ ପାନୀୟ ଜଳ ମିଳୁ ନ ଥିବାରୁ ତାଙ୍କର କିଡ୍‌ନି ଖରାପ ହୋଇ ପାରେ। ଜେଲରେ ସୁପର୍‌  ମେଡିକାଲ୍‌ ଫେସିଲିଟି ନାହିଁ।

ଗୋଖାଦ୍ୟ ଦୁର୍ନୀତିରେ ୨୫ ନମ୍ବର ଅଭିଯୁକ୍ତ ହେଉଛନ୍ତି ଲାଲୁ। ସେ ଆବେଦନରେ ଏ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହା ଅପରାଧିକ ଷଡ଼ଯନ୍ତ୍ର ମାତ୍ର। ଏ ମାମଲାରେ ଅନ୍ୟ ଜଣେ ଷଡ଼ଯନ୍ତ୍ରକାରୀ ଏବଂ ଅନ୍ୟମାନେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଲାଲୁ ପ୍ରସାଦ କହିଛନ୍ତି ଯେ ୨୦ ବର୍ଷରୁ ଅଧିକ କାଳ ହେବ ସେ ଏହି ମାମଲାରେ ଲଢୁଛନ୍ତି। ଏଥିପାଇଁ ସେ ବର୍ଷେ ଜେଲ୍‌ଦଣ୍ଡ ଭୋଗି ସାରିଛନ୍ତି।
ଲାଲୁ ଦର୍ଶାଇଛନ୍ତି ଯେ ଏହି ଏକା ମାମଲାରେ ଜଗନ୍ନାଥ ମିଶ୍ର ଏବଂ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ସାରିଥିବାରୁ ଏବେ ଅଦାଲତ ତାଙ୍କ ପ୍ରତି ସର୍ବନିମ୍ନ ଦଣ୍ଡବିଧାନ କରିବା ଉଚିତ।

ସମ୍ବନ୍ଧିତ ଖବର