ପାକିସ୍ତାନର ଅଣ୍ଡା ବଜାରରେ ନିଆଁ, ଗୋଟାଏ ଅଣ୍ଡାର ଦାମ ୩୦ ଟଙ୍କ‌ା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଫଳରେ ଲୋକମାନଙ୍କର ରୋଜଗାର କମିଛି । ଛୋଟ ଛୋଟ କମ୍ପାନି ପ୍ରାୟତ ବନ୍ଦ ହୋଇ ଯାଇଥିବା ବେଳେ ବଡ ବଡ କମ୍ପାନିରୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯାହା ଫଳରେ ଲୋକଙ୍କର କ୍ରୟ କ୍ଷମତା ବି କମିବାରେ ଲାଗିଛି ।

ଏହାରି ମଧ୍ୟରେ ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଏଠାରେ ଲୋକମାନେ ଏବେ ଆମଲେଟ୍ ଖାଇବା ପୂର୍ବରୁ ନିଜ ବଜେଟ୍ ଉପରେ ନଜର କରୁଛନ୍ତି । କାରଣ କିଛିଦିନ ହେବ ପାକିସ୍ତାନରେ ଅଣ୍ଡା ଦର ହୁ ହୁ ହୋଇ ବଢିଚାଲିଛି । ସଦ୍ୟ ମିଳିଥିବା ସୂଚନା ମୁତାବକ ପାକିସ୍ତାନରେ ଗୋଟିଏ ଡର୍ଜନ ଅଣ୍ଡା ପାଇଁ ଗ୍ରାହକଙ୍କୁ ୩୫୦ ଟଙ୍କା ଦେବାକୁ ପଡୁଛି । ଏହାର ଅର୍ଥ ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କାରେ ପହଂଚି ସାରିଛି । କେବଳ ଅଣ୍ଡା ନୁହେଁ କରୋନା ମହାମାରୀ ବେଳେ ପନିପରିବା ଓ ରୋଷେଇ ଗ୍ୟାସର ଦର ବି ଅହେତୁକ ଭାବେ ବୃଦ୍ଧି ପାଇଛି । ରାୱଲପିଣ୍ଡିରେ ଅଦା କେଜି ପ୍ରତି ୧ ହଜାର ଟଙ୍କାରେ ପହଂଚିଛି । ସେହିଭଳି ଗହମ କେଜିପ୍ରତି ୬୦ ଟଙ୍କା ଛୁଇଁଛି । ଫଳରେ ପାକିସ୍ତାନୀମାନଙ୍କର ମୁଖ୍ୟ ଖାଦ୍ୟ ରୁଟି ଏବେ ମହଙ୍ଗା ହେବାରେ ଲାଗିଛି । ଏହାସହ ରୋଷେଇ ଗ୍ୟାସର ଦର ବଢିଛି ଫଳରେ ଲୋକମାନଙ୍କ ଘରେ କିଛିଦିନ ମଧ୍ୟରେ ଚୁଲି ଜଳିବା ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।

ଗୋଟିଏ ପଟେ କରୋନା ମହାମାରୀ ଓ ଅନ୍ୟପଟେ ଦେଶର ରାଜନୈତିକ ଅସ୍ଥିରତା ଯୋଗୁଁ ଏଭଳି ସ୍ଥିତି ଦେଖା ଦେଇଥିବା ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ସମ୍ବନ୍ଧିତ ଖବର