ଖାଦ୍ୟ ସଙ୍କଟ, ଶିଶୁ ଅଧିକାର ପାଇଁ ବୈଶ୍ୱିକ ଚିନ୍ତା ବଢ଼ୁଛି

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧକୁ ଆଉ କିଛି ଦିନ ପରେ ୩ ମାସ ପୂରିବ। ରୁଷ୍‌ ଏହାର ଆକ୍ରମଣକୁ ଲଗାତାର ଭାବେ ଜୋରଦାର କରୁଛି। ମାରିୟୁ‌ପୋଲ୍‌ ହାସଲ କରିବା ରୁଷ୍‌ର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଏବେ ରୁଷ୍‌ର ଫୋକସ୍‌ ଲୁହାଂସ୍କ ଏବଂ ଡୋନେସ୍କ ଉପରେ ରହିଛି। ସବୁ ଯୁଦ୍ଧ ପରି ୟୁକ୍ରେନ ଯୁଦ୍ଧ ପାଇଁ ଶିଶୁ ସୁରକ୍ଷା, ଶିଶୁ ଅଧିକାର ସଙ୍କଟ ସୃଷ୍ଟି ହୋଇଛି। ୟୁକ୍ରେନ୍‌‌ରେ ୟୁନିସେଫ୍‌ ସମର୍ଥିତ ୮୯ଟି ସ୍କୁଲ୍‌ରୁ ୧୫ଟି ସ୍କୁଲ୍‌ ଧ୍ବଂସ ହୋଇଯାଇଛି। ଏହାବାଦ ଅନ୍ୟ ଏକ ବୈଶ୍ବିକ ଚ୍ୟାଲେଂଜ ହେଉଛି ଖାଦ୍ୟ ସଙ୍କଟ।

ଗୁରୁବାର ଦିନ ଜି-୭ ରାଷ୍ଟ୍ରର ନେତାମାନେ ଉକ୍ତ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ବନ୍ଦର‌ରେ ବିଶେଷ କରି ଓଡ଼େଶାରେ ପ୍ରାୟ ୨୫ ନିୟୁତ ଟନ୍‌ ଶସ୍ୟ ପଡ଼ି ରହିଛି। ଏହି ଖାଦ୍ୟଶସ୍ୟ ଆଫ୍ରିକା ଏବଂ ମଧ୍ୟ ପ୍ର‌ାଚ୍ୟ ପାଇଁ ଜରୁରୀ ଥିବା ବେଳେ ରୁଷ୍‌ର ଦଖଲ ଏଥିରେ ବାଧା ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ଜର୍ମାନୀ ବି‌ଦେଶ ମନ୍ତ୍ରୀ ଆନ୍ନାଲେନା ବେରବକ୍‌ କହିଛନ୍ତି, ଏଭଳି ଖାଦ୍ୟ ସଙ୍କଟ ସମୟରେ ଆମେ ଏକାଠି ରହିବା ଉଚିତ୍‌। ଆଗକୁ ପୂରା ବିଶ୍ବରେ ଖାଦ୍ୟ ସଙ୍କଟ ବଢ଼ିବାକୁ ଥିବା ବେଳେ ଶିଶୁ ଅଧିକାରକୁ ନେଇ ଚିନ୍ତା ବଢ଼ିଛି। ଏଥିପାଇଁ ଯୁଦ୍ଧ ବନ୍ଦ ହେବା ଏକମାତ୍ରା ରାସ୍ତା ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର