କାବୁଲ: ୨୦୨୩ ସେପ୍ଟେମ୍ବରରୁ ଅଦ୍ୟାବଧି ପାଖାପାଖି ୧.୨ ନିୟୁତ ଆଫଗାନିସ୍ତାନ ନାଗରିକ ପାକିସ୍ତାନରୁ ଫେରିଛନ୍ତି, ଯେଉଁମାନେ ଅନେକ ଗୁରୁତର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବୋଲି ଜାତିସଂଘ ଶରଣାର୍ଥୀ ହାଇକମିସନର (ୟୁଏନ୍ଏଚ୍‌ସିଆର୍) କହିଛନ୍ତି। ପ୍ରବାସୀଙ୍କ ପାଇଁ ଖାଦ୍ୟାଭାବ ସମସ୍ୟା ଜଟିଳ ରୂପ ନେଇଛି।  ନିକଟରେ ପ୍ରକାଶିତ ୟୁଏନ୍‌ଏଚ୍‌ସିଆର୍‌ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୫, ୨୦୨୩ରୁ ୨୦୨୫ ଜୁନ୍ ୩୦ ମଧ୍ୟରେ ପାଖାପାଖି ୧.୨ ନିୟୁତ ଆଫଗାନିସ୍ତାନ ପ୍ରବାସୀ ପାକିସ୍ତାନରୁ ଆଫଗାନିସ୍ତାନକୁ ଫେରିବା ପାଇଁ ବାଧ୍ୟ ହୋଇଛନ୍ତି। ପାକିସ୍ତାନ ସେନା ଆଫ୍‌ଗାନ ପ୍ରବାସୀଙ୍କ ଫେରିବା ପ୍ରକ୍ରିୟାକୁ ଆଜିଠାରୁ ପୁଣି ତ୍ବରାନ୍ବିତ କରିଛି।
Advertisment
୯୮,୦୦୦ ପଞ୍ଜୀକୃତ କାର୍ଡଧାରୀଙ୍କ ସମେତ ୧,୫୬,୦୦୦ରୁ ଅଧିକ ଫେରନ୍ତାଙ୍କୁ ସେମାନଙ୍କ ଫେରିବା ପରଠାରୁ ମାନବିକ ସହାୟତା ପ୍ରଦାନ କରାଯାଇଛି ବୋଲି ଖାମା ପ୍ରେସ୍ ରିପୋର୍ଟ କରିଛି। ମିଳିତ ଜାତିସଂଘ ଏଜେନ୍ସି କହିଛି ଯେ, ସହାୟତା ପାଉଥିବା ଲୋକଙ୍କ ମଧ୍ୟରୁ ମହିଳା ଓ ବାଳିକାଙ୍କ ସଂଖ୍ୟା ପ୍ରାୟ ଅଧା ଥିବା ବେଳେ ଫେରିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨.୨ ପ୍ରତିଶତ ହେଉଛନ୍ତି ଭିନ୍ନକ୍ଷମ। କେବଳ ୨୦୨୫ରେ ୩,୧୫,୦୦୦ରୁ ଅଧିକ ଲୋକ ଆଫଗାନିସ୍ତାନ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୫୧,୦୦୦ ଜଣଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ବଳପୂର୍ବକ ପ୍ରତ୍ୟର୍ପଣ କରିଥିଲେ। ପାକିସ୍ତାନରେ ବଢୁଥିବା ରାଜନୈତିକ ଓ ସୁରକ୍ଷା ଚାପ ଦଶନ୍ଧି ଧରି ସେଠାରେ ରହୁଥିବା ୨୦ ଲକ୍ଷରୁ ଅଧିକ ଆଫଗାନିସ୍ତାନ ଶରଣାର୍ଥୀଙ୍କ ଦୀର୍ଘକାଳୀନ ସ୍ଥିତି ପ୍ରତି ବିପଦ ସୃଷ୍ଟି କରୁଛି।
ପାକିସ୍ତାନରୁ ଫେରିଥିବା ୧୨ ଲକ୍ଷ ପ୍ରବାସୀଙ୍କ ପାଇଁ ଖାଦ୍ୟାଭାବ 
ଅନ୍ତର୍ଜାତୀୟ ସହାୟତା ନ ମିଳିଲେ ସାଂଘାତିକ ସ୍ଥିତି ଉପୁଜିବ: ୟୁଏନ୍‌ଏଚ୍‌ସିଆର୍‌
ୟୁଏନ୍‌ଏଚ୍‌ସିଆର୍‌ ଚେତାବନୀ ଦେଇ କହିଛି, ପୂର୍ବରୁ ଦୁର୍ବଳ ହୋଇପଡ଼ିଥିବା ଆଫଗାନିସ୍ତାନରେ ଅଧିକାଂଶ ଲୋକ ଉପଯୁକ୍ତ ବାସଗୃହ, ଚାକିରି ଓ ଅତ୍ୟାବଶ୍ୟକ ସେବା ପାଇବାରୁ ବଞ୍ଚିତ ହେବା ଭଳି ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସହାୟତା ଏଜେନ୍ସିମାନେ ଆଫଗାନିସ୍ତାନ କର୍ତ୍ତୃପକ୍ଷ ଓ ଅନ୍ତର୍ଜାତୀୟ ସମୁଦାୟକୁ ସହାୟତା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ନିରନ୍ତର ସାହାଯ୍ୟ ବିନା, ପ୍ରତ୍ୟାବର୍ତ୍ତନର ଲହର ଆଫଗାନିସ୍ତାନର ମାନବିକ ସଙ୍କଟକୁ ଗଭୀର କରିପାରେ। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ)ର ଏକ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନ ଗୁରୁତର ଖାଦ୍ୟ ଅସୁରକ୍ଷାର ସମ୍ମୁଖୀନ ହେଉଥିବା ଦେଶ ତାଲିକାରେ ଶୀର୍ଷରେ ରହିଛି ଏବଂ ୧୨ ନିୟୁତରୁ ଅଧିକ ଲୋକଙ୍କୁ ତୁରନ୍ତ ଖାଦ୍ୟ ସହାୟତାର ଆବଶ୍ୟକତା ରହିଛି। ରାଜନୈତିକ ଅସ୍ଥିରତା, ମାନବିକ ସଙ୍କଟ ଓ ଜଳବାୟୁ ପରିବର୍ତ୍ତନର ମିଶ୍ରଣ ଯୋଗୁଁ ଆଫଗାନିସ୍ତାନ ୨୦୧୬ରୁ କ୍ରମାଗତ ଭାବରେ ଏଫ୍ଏଓର କ୍ଷୁଧା ତାଲିକାରେ ସ୍ଥାନ ପାଇଛି। ଏଫ୍ଏଓ କହିଛି ଯେ ବ୍ୟାପକ ଦାରିଦ୍ର୍ୟ ଆଫଗାନିସ୍ତାନର ଖରାପ ଖାଦ୍ୟ ଅସୁରକ୍ଷାର ଅନ୍ୟତମ ମୁଖ୍ୟ ଚାଳକ। ଇରାନ ଓ ପାକିସ୍ତାନରୁ ୧.୬ ନିୟୁତରୁ ଅଧିକ ପ୍ରବାସୀ ଫେରିବା, ଅନ୍ତର୍ଜାତୀୟ ସହାୟତା ହ୍ରାସ ଓ କଠୋର ଅର୍ଥନୈତିକ କଟକଣା ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ତଳକୁ ଠେଲି ଦେଇଛି। ମାନବିକ ସହାୟତା ବୃଦ୍ଧି ନ ହେଲେ ଆଫଗାନିସ୍ତାନରେ ଭୋକ ଜନିତ ମୃତ୍ୟୁ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଡବ୍ଲ୍ୟୁଏଫ୍‌ପି ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି।