ଦାମିକା ଫୋନ ଖସି ପଡ଼ିବାରୁ ଡ୍ୟାମରୁ ୨୧ଲକ୍ଷ ଲିଟର ପାଣି ଖାଲି କରି ଦେଲେ ଫୁଡ ଇନ୍ସପେକ୍ଟର

ନୂଆଦିଲ୍ଲୀ: କାଙ୍କେରର ପଙ୍ଖାଜୁରରେ ମହଙ୍ଗା ଫୋନ ପାଇଁ ଡ୍ୟାମରୁ ଲକ୍ଷାଧିକ ପାଣି ନଷ୍ଟ କରି ଦେଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଉତ୍ତରବସ୍ତର କାଙ୍କେର ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଳାଙ୍କ ଆଦେଶରେ ଫୁଡ ଇନ୍ସପେକ୍ଟର ରାଜେଶ ବିଶ୍ବାସଙ୍କୁ ନିଲମ୍ବନ କରାଯାଇଛି।

ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଳା ଜାରି କରିଥିବା ଆଦେଶରେ ଉଲ୍ଲେଖ ରହିଛି କି, ପଙ୍ଖାଜୁର ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ବାସ ଛୁଟି କାଟିବାକୁ ଆସିଥିବା ବେଳେ ତାଙ୍କ ଫୋନ ଡ୍ୟାମରେ ଅସାବଧାନତାବଶତଃ ପଡ଼ି ଯାଇଥିଲା। ମହଙ୍ଗା ଫୋନକୁ ହରାଇ ରାଜେଶ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ।

ତେଣୁ ସେ ହଜି ଯାଇଥିବା ଫୋନକୁ ଖୋଜିବା ପାଇଁ ୪ଦିନ ଧରି ଡ୍ୟାମରୁ ପାଖାପାଖି ୨୧ଲକ୍ଷ ଲିଟର ପାଣି ଡିଜେଲ ପମ୍ପ ଦ୍ବାରା ବାହାର କରିଥିଲେ।

ଏହି ଘଟଣାକୁ କେନ୍ଦ୍ରକରି ଏସଡିଏମ ପଙ୍ଖାଜୁର ଯାଞ୍ଚ କରିଥିଲେ। ଏହି ଯାଞ୍ଚ ରିପୋର୍ଟ ଅନୁସାରେ, ରାଜେଶ ବିଶ୍ବାସ କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ବିନା ଜଳାଶୟରୁ ୨୧ଲିଟର ପାଣି ବାହାର କରି ଦେଇଥିଲେ। ତେଣୁ ତାଙ୍କ ବିରୋଧରେ ଏଭଳି କର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନିଆଯାଇଛି।

ତେବେ ପ୍ରଚଣ୍ଡ ଖରାରେ ପାଣିର ଆବଶ୍ୟକତା ପଡ଼ୁଥିବାରୁ ଏତେ ଲିଟର ପାଣି ନଷ୍ଟ ହେବା ଚିନ୍ତାର ବିଷୟ ପାଲଟିଛି। ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ବାସ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।

ସମ୍ବନ୍ଧିତ ଖବର