ଦିଲ୍ଲୀ ଅନାହାର ମୃତ୍ୟୁ: ୮ ଦିନ ଯାଏଁ ଖାଲି ଥିଲା ପେଟ

ପୁଲିସକୁ ମୁଠାଏ ଖାଦ୍ୟ ମାଗିଲେ ଭୋକିଲା ମା’

ନୂଆଦିଲ୍ଲୀ: ଦିଲ୍ଲୀରେ ୩ ଭଉଣୀଙ୍କ ଅନାହାର ମୃତ୍ୟୁ ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଦେଶର ରାଜଧାନୀରେ ଯଦି ଏଭଳି ସମସ୍ୟା ଦେଖାଦିଏ, ତା’ହେଲେ ଅନ୍ୟ ଅଞ୍ଚଳର ଅବସ୍ଥା କ’ଣ ହେବ ବୋଲି ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାସ୍ତବରେ ଦିଲ୍ଲୀର ଏହି ୩ ଭଉଣୀଙ୍କ କରୁଣ କାହାଣୀ ଦେଶବାସୀଙ୍କୁ ଦୁଃଖାଭୀଭୂତ କରିଛି। ଗତକାଲି ୩ ଭଉଣୀଙ୍କ ଅକାଳ ବିୟୋଗ ପରେ ପ୍ରାଥମିକ ତଦନ୍ତରୁ ଏହାର ଅନାହାର ମୃତ୍ୟୁ ବୋଲି କୁହାଯାଉଥିଲା। କିନ୍ତୁ ଅନ୍ତିମ ସମୟ ପର୍ଯ୍ୟନ୍ତ ଡାକ୍ତରୀ ରିପୋର୍ଟକୁ ଅପେକ୍ଷା ଥିଲା। ଆଜି ସବିଶେଷ ଡାକ୍ତରୀ ରିପୋର୍ଟରେ ଲୋମଟାଙ୍କୁରା ତଥ୍ୟ ଦିଆଯାଇଛି। ରିପୋର୍ଟ କହୁଛି ଏହି ୩ କୁନି ଭଉଣୀଙ୍କ ପେଟରେ ଗୋଟିଏ ବି ଦାନା ନ ଥିଲା। ଦିନେ କି ଦୁଇଦିନ ନୁହେଁ, ୮ ଦିନ ଧରି ଏମାନେ ଭୋକଉପାସରେ ଆଉଟୁପାଉଟୁ ହେଉଥିଲେ। ଶେଷରେ ଭୋକର ଜ୍ୱାଳା ସୀମା ଟପିଯାଇଥିଲା। ଯନ୍ତ୍ରଣା ସହ୍ୟ କରି ନପାରି ଶେଷରେ ଛଟପଟ ହୋଇ ୩ ଭଉଣୀ ଆଖିବୁଜିଦେଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏଭଳି ଛାତିଥରା କଥା ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ଏହି ୩ ଭଉଣୀଙ୍କ ମା’ଙ୍କ ଅବସ୍ଥା ଅତ୍ୟନ୍ତ ଖରାପ। ଅନାହାରରେ ସେ ବି ୮-୧୦ ଦିନ ହେଲା କିଛି ଖାଇନାହାନ୍ତି। ପୁଲିସ ତାଙ୍କୁ ଯେତେବେଳେ ପିଲାମାନଙ୍କ ମୃତ୍ୟୁ ସଂକ୍ରାନ୍ତ ପ୍ରଶ୍ନ ପଚାରିଲା ତାଙ୍କ ପାଟିରୁ କଥା ବାହାରୁ ନ ଥିଲା। କେବଳ ଏତିକି ବାହାରିଥିଲା ‘ମୋତେ ଖାଇବାକୁ ଦିଅ’। ସେତେବେଳେ ପୁଲିସ ବି ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲା। ଏତିକି କହିବା ପରେ ମହିଳା ଜଣକ ସଂଜ୍ଞାହୀନ ହୋଇପଡ଼ିଥିଲେ। ଲାଲ୍‌ ବାହାଦୁର ଶାସ୍ତ୍ରୀ ହସ୍ପିଟାଲ୍‌ର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମିତା ସାକ୍ସେନା କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ରୂପେ ଅନାହାର ମୃତ୍ୟୁ। ୧୫ ବର୍ଷର ଚାକିରି ଜୀବନରେ ସେ ଏଭଳି ଘଟଣା ଆଦୌ ଦେଖିନାହାନ୍ତି। ସୂଚନାନୁଯାୟୀ ଉକ୍ତ ୩ ଭଉଣୀଙ୍କ ବାପା ଜଣେ ରିକ୍ସା ଚାଳକ। ସେ ପୂର୍ବରୁ ପଶ୍ଚିମବଙ୍ଗରେ ରହି ରିକ୍ସା ଚଳାଇ ନିଜ ପରିବାର ଚଳାଉଥିଲେ। ଦୁଃଖେସୁଖେ ଜୀବନ କଟିଯାଉଥିଲା। କିନ୍ତୁ ବିଧିର ବିଧାନ ଭିନ୍ନ ଥିଲା। ତାଙ୍କର ରିକ୍ସା ଚୋରି ହୋଇଯାଇଥିଲା। ଶେଷରେ ଅନନ୍ୟୋପାୟ ହୋଇ ପରିବାର ଧରି ଗତ ଶନିବାର ଚାଲି ଆସିଥିଲେ ପୂର୍ବ ଦିଲ୍ଲୀର ମେଣ୍ଡଓ୍ଵାଲିକୁ। ଏଠାରେ ହଠାତ୍‌ କାମ ମିଳି ନ ଥିଲା। କିନ୍ତୁ କଷ୍ଟେମଷ୍ଟେ ଏକ ଛୋଟିଆ ଭଡ଼ାଘରେ ପରିବାର ସଦସ୍ୟଙ୍କୁ ଛାଡ଼ି ଦେଇ ସେ କାମ ଅନେ୍ଵଷଣରେ ଚାଲିଯାଇଥିଲେ। ତାଙ୍କ ଫେରିବା ବାଟକୁ ଚାତକ ଭଳି ଚାହରହିଥିଲେ ୩ ଭଉଣୀ। କିନ୍ତୁ ସେ ଆଉ ଫେରିଲେନି। ପୂର୍ବରୁ ୪-୫ ଦିନ ଧରି ଖାଦ୍ୟ ଖାଇ ନ ଥିବାରୁ ସେମାନେ ଅବଶ ହୋଇପଡ଼ିଥିଲେ। ଧୀରେ ଧୀରେ ସେମାନେ ମୃତ୍ୟୁକୁ ଆବୋରି ନେଇଥିଲେ। ଏହି ଘଟଣାକୁ ନେଇ ଏବେ ରାଜନୀତି ସରଗରମ ହୋଇଥିବା ବେଳେ କେନ୍ଦ୍ର ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର