ମସ୍କୋ : ଆମେରିକା ଓ ନାଟୋ ରାଷ୍ଟ୍ରମାନଙ୍କ ଦ୍ବାରା ପ୍ରବଳ ଚାପକୁ ଖାତିର୍ ନକରି ରୁଷ୍ ୟୁକ୍ରେନ୍ରେ ଧ୍ବଂସଲୀଳା ଜାରି ରଖିଛି। ବନ୍ଦର ସହର ମାରିୟୁପୋଲ୍କୁ ସଂପୂର୍ଣ୍ଣ ଛାରଖାର କରିଦେବା ପରେ ଏବେ ରୁଷ୍ ବାୟୁସେନାର ଫୋକସ୍ରେ ରାଜଧାନୀ କିବ୍ ରହିଛି। କିବ୍ର ସମସ୍ତ ସହରତଳି ଅଂଚଳ ଓ ରଣନୀତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ନିକଟବର୍ତ୍ତୀ ଅଂଚଳଗୁଡ଼ିକୁ କବ୍ଜାକୁ ନେଇଥିବା ରୁଷ୍ ତୁହାକୁ ତୁହା ବୋମାମାଡ଼ ଜାରି ରଖିଛି। କିବ୍ରେ ଏବେ କୌଣସି ସାମରିକ ପ୍ରତିଷ୍ଠାନ ଆକ୍ରମଣରୁ ବର୍ତ୍ତି ପାରିନଥିବା ବେଳେ କିବ୍ ଉପକଣ୍ଠରେ ଥିବା ଏକ ବଡ଼ ତୈଳ ଡିପୋକୁ ରୁଷ୍ ସେନାବାହିନୀ ଧ୍ବଂସ କରିଦେଇଛନ୍ତି। ମିସାଇଲ୍ ଆକ୍ରମଣ ଦ୍ବାରା ରୁଷ୍ ୟୁକ୍ରେନ୍ର ସବୁଠାରୁ ବଡ଼ ସାମରିକ ତୈଳ ଡିପୋ ଧ୍ବଂସ କରିଥିବା ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି, ଗତ ସନ୍ଧ୍ୟାରେ କାଲିବର କ୍ରୁଜ୍ ମିସାଇଲ୍ ମାଡ଼ ହୋଇଥିଲା। ଏହି ଡିପୋ ୟୁକ୍ରେନ୍ର ସେନାବାହିନୀକୁ ଇନ୍ଧନ ଯୋଗାଣ ପାଇଁ ବ୍ୟବହାର ହେଉଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ରାଜଧାନୀ କିବ୍ରେ ଖାଦ୍ୟ ସଙ୍କଟ ଏବେ ଜଟିଳ ରୂପ ନେଲାଣି। ଖାଦ୍ୟ ପାଇଁ ବିଭିନ୍ନ ସ୍ଥାନରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ମାନବୀୟ ସହାୟତା ପହଞ୍ଚୁ ନଥିବାରୁ ଅସହାୟ ଲୋକେ ପ୍ରାଣ ବିକଳରେ ସହର ଛାଡ଼ିବାକୁ ଯୋଜନା କରୁଛନ୍ତି। କିବ୍ର ଉତ୍ତର, ପୂର୍ବ ଏବଂ ଦକ୍ଷିଣ ପଟୁ ରୁଷ୍ ଆକ୍ରମଣ ଜୋର୍ଦାର ହୋଇଛି ଏବଂ ୟୁକ୍ରେନ୍ ସେନା ସବୁ ଶକ୍ତି ଖଟାଇ ଲଢ଼ୁଛି।
କିବ୍ର ବିଭିନ୍ନ ଅଂଚଳରେ ରୁଷ୍ ସେନାକୁ ରୋକିବା ପାଇଁ ୟୁକ୍ରେନ୍ ସେନାର ରଣନୀତି ସଫଳ ହେଉଥିବାରୁ ରୁଷ୍ର ଚିନ୍ତା ବଢ଼ିଛି। ଏହି କାରଣ ପାଇଁ କିବ୍ ଦଖଲ ରୁଷ୍ ପାଇଁ ଏତେ ସହଜ ହେଉନାହିଁ। ବହୁ ସଂଖ୍ୟାରେ ରୁଷ୍ ସୈନିକ ମୃତାହତ ହୋଇଥିବାରୁ ଏବେ ରୁଷ୍ ରଣନୀତି ବଦଳାଇ ବାୟୁସେନା ଦ୍ବାରା ଆକ୍ରମଣକୁ ଜୋର୍ଦାର କରିଛି। କିବ୍ର ସୁରକ୍ଷା ପାଇଁ ଆମେରିକା ଓ ନାଟୋ ରାଷ୍ଟ୍ରମାନେ କିଛି ବଡ଼ ରଣନୀତି କାର୍ଯ୍ୟକାରୀ କରିବା ପୂର୍ବରୁ ରୁଷ୍ କିବ୍କୁ ଧ୍ବଂସ କରିଦେଇପାରେ ବୋଲି ୟୁକ୍ରେନ୍ ଆଶଙ୍କା ବ୍ୟକ୍ତ କରିଛି। କିବ୍ର ପତନ ପରେ ହିଁ ରୁଷ୍ ନିଜର ବିଜୟ ଘୋଷଣା କରିବ ବୋଲି କୁହାଯାଉଛି।