ଝାଡ଼ଖଣ୍ଡରେ ମ୍ୟାଚ୍‌ ବେଳେ ବଜ୍ରପାତ ଯୋଗୁଁ ଜଣେ ଫୁଟବଲ୍‌ ଖେଳାଳି ମୃତ, ଚାରି ଆହତ

ରାଞ୍ଚି: ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ଅନ୍ତର୍ଗତ ଏକ ଗାଁର ଖେଳପଡ଼ିଆରେ ମ୍ୟାଚ୍ ଚାଲିଥିବା ସମୟରେ ବଜ୍ରପାତ ହେବାରୁ ଜଣେ ଫୁଟ୍‌ବଲ୍ ଖେଳାଳିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଚାରିଜଣ ଆହତ ହୋଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।

ଘଟଣାଟି ଗୁରୁବାର ବିଳମ୍ବିତ ଅପରାହ୍ଣରେ ଚୈନ୍‌ପୁର ବ୍ଲକ୍ ଅନ୍ତର୍ଗତ ସୁଦୂର ମାଓପ୍ରବଣ ଗାଁ ଉରୁ ବାର୍ଦିରେ ଘଟିଛି। କିନ୍ତୁ, ଘଟଣା ସଂକ୍ରାନ୍ତରେ ପୁଲିସ ଆଜି ସକାଳେ ସୂଚନା ପାଇଛି। ମୃତ ଖେଳାଳି ହେଉଛନ୍ତି ତେତାର ତୋଲି ଗାଁର ବାସିନ୍ଦା ପରସ ପନ୍ନା।

Image Courtesy of Zee News

ମୃତ୍ୟୁ ପ୍ରମାଣିତ କରିବାକୁ ଏବଂ ଲକ୍‌ଡାଉନ୍ ପ୍ରୋଟକଲ୍ ଉଲ୍ଲଂଘନ କରି କିପରି ମ୍ୟାଚ୍ ଆୟୋଜିତ ହୋଇଥିଲା ତାହାର ତଦନ୍ତ କରିବାକୁ ପୁଲିସ ସମ୍ପୃକ୍ତ ଗାଁକୁ ଯାଇଥିଲା। ଫୁଟ୍‌ବଲ୍‌ ମ୍ୟାଚ୍ ଆୟୋଜକମାନଙ୍କୁ ଚିହ୍ନଟ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।

ଚୈନ୍‌ପୁରର ‘ଏସ୍‌ଡିପିଓ’ କୁଳଦୀପ କୁମାର କହନ୍ତି, ‘ନେମାନ କୁଜୁର ଫୁଟ୍‌ବଲ୍‌ ଚାମ୍ପିଅନ୍‌ସିପ୍’ ମ୍ୟାଚ୍‌ ଚାଲିଥିବା ସମୟରେ ପଡ଼ିଆରେ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଅନ୍ୟ ଚାରି ଜଣ ଆହତ ହୋଇଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ସମୁଦାୟ ୫ଜଣଙ୍କୁ ଗୁମଲା ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ। ଅନ୍ୟ ୪ଜଣ ସାମାନ୍ୟ ଆହତ ହୋଇଥିବାରୁ ଚିକିତ୍ସା କରାଯାଇ ଆଜି ଛାଡ଼ି ଦିଆଯାଇଛି।

ଆହତମାନଙ୍କ କହିବା ଅନୁସାରେ, ମ୍ୟାଚ୍ ବେଳେ ବର୍ଷା ହୋଇଥିଲା, କିନ୍ତୁ ସେମାନେ ଖେଳ ବନ୍ଦ କରି ନ ଥିଲେ। ହଠାତ୍ ପଡ଼ିଆ ମଝିରେ ବଡ଼ ଚଡ଼ଚଡ଼ି ପଡ଼ିବାରୁ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଲା।

 

ସମ୍ବନ୍ଧିତ ଖବର