ଧର୍ମେନ୍ଦ୍ରଙ୍କ କାନ୍ଧରେ ବିଜେପିର କର୍ଣ୍ଣାଟକ ବିଜୟ ଦାୟିତ୍ବ

ନୂଆଦିଲ୍ଲୀ: ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଶନିବାରଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ରାଜ୍ୟ ପ୍ରଭାରୀ ନିଯୁକ୍ତ କରିଛି । ଏହା ସହିତ ତାମିଲନାଡୁ ବିଜେପି ୟୁନିଟ୍ ସଭାପତି କେ. ଆନ୍ନାମଲାଇଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅତୀତରେ ଅନେକ ନିର୍ବାଚନ ପରିଚାଳନା କରିବାକୁ ଦାୟିତ୍ୱ ଦିଆଯାଇଛି । ବିଶେଷକରି ଗତ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ତାଙ୍କୁ ବିଜେପିର ପ୍ରଭାରୀ ନିଯୁକ୍ତ କରାଯାଇଥିଲା । ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟର କିଛି ଶ୍ରେୟ ଧର୍ମେନ୍ଦ୍ରଙ୍କୁ ବି ଯାଇଥାଏ ।

ଜଣେ ଦକ୍ଷ ରାଜନେତା ଭାବେ ଦଳରେ ନିଜକୁ ପ୍ରତିଷ୍ଠିତ କରିଥିବା ଧର୍ମେନ୍ଦ୍ର ପ୍ରଧାନ ବିଜେପି ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ କର୍ଣ୍ଣାଟକରେ ଦଳର କ୍ଷମତା ବଜାୟ ରଖିବେ ବୋଲି ଆଶା କରାଯାଉଛି । ତେବେ ସ୍ଥାନୀୟ ନେତାଙ୍କ ମଧ୍ୟରେ ଥିବା ମତଭେଦକୁ ଦୂର କରି ଦଳର ସଂଗଠନକୁ ଦୃଢ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ୍ ହୋଇପାରେ ।

କର୍ଣ୍ଣାଟକରେ ବିଜେପିର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ବିଏସ ୟେଦ୍ୟୁରାପ୍ପା କହିଛନ୍ତି ଯେ ଆସନ୍ତା ଏପ୍ରିଲ ୧୦-୧୨ ବେଳକୁ ରାଜ୍ୟରେ ନିର୍ବାଚନ ହୋଇପାରେ । ଏଥର ବିଜେପିକୁ ସଂଖ୍ୟା ଗରିଷ୍ଠତା ହାସଲକରିବାରୁ କେହି ଅଟକାଇ ପାରିବେ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ଦଳ ନିର୍ବାଚନକୁ ଓହ୍ଲାଇବ । ଦଳରେ କୌଣସି ମତଭେଦ ନାହିଁ ଓ ଦଳ ଏକାଠି ଅଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର