ନୂଆଦିଲ୍ଲୀ: ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ପାଇଁ ଆସନ୍ତା ୧୦ ତାରିଖରୁ କୋଭିଡ୍‌ ପ୍ରିକସନ୍‌ (ବୁଷ୍ଟର) ଡୋଜ୍‌ ଉପଲବ୍ଧ ହେବ। ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ଯେଉଁମାନେ କି ଦ୍ବିତୀୟ ଡୋଜ୍‌ ନେବାର ୯ ମାସ ହୋଇସାରିଛି ସେମାନେ ପ୍ରିକସନ୍‌ ଡୋଜ୍‌ ତଥା ବୁଷ୍ଟର୍‌ ଡୋଜ୍‌ ନେଇପାରିବେ। ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ। ତେବେ ଏହା ମାଗଣା ନୁହେଁ। ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିବ। ବିଭିନ୍ନ ସରକାରୀ ଟିକାକରଣ କେନ୍ଦ୍ରରେ ଚାଲିଥିବା ମାଗଣା ଟିକାକରଣ କାର୍ଯ୍ୟକ୍ରମ ଏବଂ ୬୦ ବର୍ଷରୁ ଊଦ୍ଧ୍ ବୟସ୍କ ବ୍ୟକ୍ତିଙ୍କ ପାଇଁ ବୁଷ୍ଟର୍‌ ଡୋଜ୍‌ ବି ଜାରି ରହିବ। ସରକାର ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ‌ଯେ, ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ଯାହା ବୁଷ୍ଟର୍‌ ଡୋଜ୍‌ ମଧ୍ୟ ଠିକ୍‌ ସମାନ। ଯେଉଁମା‌ନେ କୋଭାକ୍ସିନ୍‌ ନେଇଛନ୍ତି ସେମାନେ କୋଭାକ୍ସିନ୍‌ ‌ନେବେ ଏବଂ ଯେଉଁମାନେ କୋଭିସିଲ୍ଡ ନେଇଛନ୍ତି ସେମାନେ କୋଭିସିଲ୍ଡ ନେବେ। କୋଭିସିଲ୍ଡ ବୁଷ୍ଟର ଡୋଜ୍‌ ପାଇଁ ୬୦୦ ଟଙ୍କା ଦେବାକୁ ପଡ଼ିବ। ହସ୍ପିଟାଲ୍‌ଗୁଡ଼ିକ ଏହାକୁ ଡିସ୍‌କାଉଣ୍ଟ୍‌ ମୂଲ୍ୟରେ ପାଇପାରିବେ। ଦେଶରେ ୧୫ ବର୍ଷରୁ ଅଧିକ ୯୬ ପ୍ରତିଶତ ପ୍ରଥମ ଡୋଜ୍‌ ନେଇଥିବାବେଳେ ୮୩ ପ୍ରତିଶତ ଦୁଇଟି ଯାକ ଡୋଜ୍‌ ନେଇଛନ୍ତି। ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ୨.୪ କୋଟିରୁ ଅଧିକ ପ୍ରିକସନ୍‌
ଡୋଜ୍‌ ଦିଆଯାଇଛି। ୧୨ରୁ ୧୪ ବର୍ଷ ମଧ୍ୟରେ ୪୫ ପ୍ରତିଶତ ପିଲା ପ୍ରଥମ ଡୋଜ୍‌ ନେଇଛନ୍ତି।

Advertisment

ଅନ୍ୟପଟେ, ଦେଶର ୫ ରାଜ୍ୟରେ ସଂକ୍ରମଣ ବଢ଼ୁଛି। କେରଳ, ମିଜୋରାମ, ମହାରାଷ୍ଟ୍ର, ଦିଲ୍ଲୀ ଏବଂ ହରିୟାଣାରେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏନେଇ ସତର୍କ କରିଛନ୍ତି। ଚୀନ୍‌ ଏବଂ ଆମେରିକାରେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଉପରୋକ୍ତ ୫ ରାଜ୍ୟଙ୍କୁ ଆଦୌ ବେପରୁଆ ନହେବା ପାଇଁ କହିଛନ୍ତି। କେରଳ, ମି‌ଜୋରାମ, ମହାରାଷ୍ଟ୍ର, ଦିଲ୍ଲୀ ଏବଂ ହରିୟାଣା ସରକାରଙ୍କୁ ଏନେଇ ଚିଠି ପଠାଯାଇଛି। ଉଲ୍ଲେଖଯୋଗ୍ୟ, କେରଳରେ ଗତ ସପ୍ତାହରେ ୨,୩୨୧ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମଣ ମାମଲାର ଏହା ୩୧.୮ ପ୍ରତିଶତ। ରାଜ୍ୟରେ ସାପ୍ତାହିକ ପଜିଟିଭ୍‌ ହାର ମଧ୍ୟ ୧୩.୪୫ ପ୍ରତିଶତରୁ ୧୫.୫୩ ପ୍ରତିଶତକୁ ବୃଦ୍ଧି ପାଇଛି।