ନୂଆଦିଲ୍ଳୀ: ଦିନକୁ ଦିନ କରୋନା ଭାଇରସ୍ର ପ୍ରଭାବ ବଢ଼ି ବଢ଼ି ଚାଲିଛି। ଏତେ ମାସ ପରେ ବି ବିଭିନ୍ନ ବୈଜ୍ଞାନିକଙ୍କ ଚେଷ୍ଟା ସତ୍ତ୍ବେ ଏହାକୁ ଆୟତ୍ତ କରି ହେଉନାହିଁ। ଶୁକ୍ରବାର ସୁଦ୍ଧା ସାରା ବିଶ୍ବରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ମିଲିୟନ୍ ପାର୍ ହୋଇଛି। ଖାଲି ସେତିକି ନୁହେଁ, ସୂଚନା ରହିଛି ଯେ କେବଳ ଗତ ୧୦୦ ଘଣ୍ଟା ମଧ୍ୟରେ ବିଶ୍ବରେ ୧ ମିଲିୟନ୍ରୁ ଊର୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଜାନୁଆରି ମାସରୁ ପ୍ରଥମେ ଚୀନର ଉହାନ ସହରରୁ ଆରମ୍ବ ହୋଇ ଏହି ଭାଇରସ୍ ୧ ମିଲିୟନ୍ ଛୁଇଁବାକୁ ୩ ମାସ ସମୟ ନେଇ ଯାଇଥିଲା। ମାତ୍ର ଏବେ ସଂକ୍ରମଣର ପରିମାଣ ଏତେ ବଢ଼ି ଯାଇଛି ଯେ ମାତ୍ର ୪ ଦିନ ଭିତରେ ୧ ମିଲିୟନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୧୩ ମିଲିୟନ୍ରୁ ୧୪ ମିଲିୟନ୍ ହେବାକୁ ୧୦୦ ଘଣ୍ଟାରୁ ବି କମ୍ ସମୟ ଲାଗିଛି।
/sambad/media/post_attachments/wp-content/uploads/2020/07/Untitled-24-300x200.jpg)
୩.୪ ମିଲିୟନ୍ ଆକ୍ରାନ୍ତଙ୍କ ଦେଶ ଆମେରିକାରେ ଏବେ ବି ତୀବ୍ର ଗତିରେ ବଢ଼ିଚାଲିଛି କରୋନା ଭାଇରସ୍। ସ୍ବିଡେନ୍ରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭,୨୮୧ ହୋଇଥିବା ବେଳେ ଆମେରିକାରେ କେବଳ ଗୁରୁବାର ୭୭ ହଜାରରୁ ଊର୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଛଅ ମାସ ମଧ୍ୟରେ ୧୪.୧ ମିଲିୟନ୍ ଲୋକେ ଏହିି ମହାମାରୀର ଶିକାର ହୋଇଥିବା ବେଳେ ୬ ଲକ୍ଷରୁ ଊର୍ଧ୍ବ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇ ସାରିଲାଣି। ସେଥିମଧ୍ୟରୁ ୭.୮୬ ମିଲିୟନ୍ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି। କରୋନା ଜନିତ ପ୍ରଥମ ମୃତ୍ୟୁ ଜାନୁଆରିରେ ଉହାନରେ ହୋଇଥିଲା।