ଲଗାତାର ୪ ବର୍ଷ ଧରି ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଛି

ଆସାମ: ଏନସିଆରବିର ୨୦୨୦ ତଥ୍ୟ ପ୍ରକାଶ ହେବାର ଠିକ ଗୋଟିଏ ଦିନ ପରେ ଆସାମର ସିଲଚର ସହରରେ ଉତ୍ତେଜନା ଖେଳିଯାଇଥିଲା। । ନିଖୋଜ ହୋଇଥିବା ଜଣେ ୧୬ ବର୍ଷିୟା ନାବଳିକାର ମୃତଦେହ ବାରକ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନାନୁଯାୟୀ ଉକ୍ତ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। । ଗତ ମେ’ ମାସରେ ହୋଇଥିବା ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଜଣେ ମହିଳା ଚରାଇଦେଓ ଜିଲ୍ଲାର ଏକ ଡାକ୍ତରଖାନାରୁ ଘରକୁ ଫେରୁଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ଗତ ଏପ୍ରିଲ୍ ୩ରେ ଆଇଆଇଟି ଗୌହାଟୀରେ ପଢ଼ୁଥିବା ଏକ ୨୧ ବର୍ଷିୟ ଛାତ୍ର ତାଙ୍କ ସହ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ।

ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ଲଗାତାର ଚତୁର୍ଥ ବର୍ଷ ପାଇଁ ଆସାମ ମହିଳାଙ୍କ ବିରୋଧରେ ସର୍ବାଧିକ ଅପରାଧ ହାର ରେକର୍ଡ କରିଛି। ମହିଳାଙ୍କ ପ୍ରତି ରାଜ୍ୟରେ ଅପରାଧ ହାର ୧୫୪.୩ ଅଟେ, ଯାହା ଜାତୀୟ ହାର ୫୬.୫ଠାରୁ ତିନି ଗୁଣା ଅଧିକ । ଆସାମରେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୦୧୬ରେ ମହିଳାଙ୍କ ବିରୋଧରେ ଅପରାଧ ହାର ୧୨୬.୮ଥିବା ବେଳେ ୨୦୧୭ ରେ ୧୪୩.୩ , ୨୦୧୮ ରେ ୧୬୬ ଏବଂ ୨୦୨୦ରେ ୧୭୭ ରହିଛି। ଆସାମ ପୁଲିସ ମୁଖ୍ୟ ଭିଜିଲାନ୍ସ ବିଭାଗର ପୋଲିସ ଅଧୀକ୍ଷକ ରୋଜି କାଲିତା କହିଛନ୍ତି , ମହିଳାମାନେ ଯଦି ଥାନାକୁ ନ ଆସିପାରନ୍ତି ତେବେ ଇମେଲ ଜରିଆରେ ମଧ୍ୟ ଏଫଆଇଆର ଦାଖଲ କରିପାରିବେ। ଏନସିଆରବିର ତଥ୍ୟ ଦର୍ଶାଉଛି ଯେ ଆସାମରେ ୨୦୨୦ରେ ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ୧୧,୪୦୮ ମାମଲା ରୁଜୁ ହୋଇଛି। ଆସାମରେ ମୋଟ ୨୬ଟି ବଳାତ୍କାର ଓ ହତ୍ୟା ମାମଲା ରିପୋର୍ଟ ହୋଇଛି । ଏହା ଦେଶର ତୃତୀୟ ସର୍ବାଧିକ ଅଟେ।

ସମ୍ବନ୍ଧିତ ଖବର