ମିରଟ: ୟୁପିର ମିରଟରେ ସ୍ୱାମୀ ସୌରଭ ରାଜପୁତଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁସ୍କାନଙ୍କ ସଂପର୍କରେ ‌ଏବେ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଜାଣିବାକୁ ମିଳିଛି ଯେ ସେ ତାଙ୍କ ସ୍ବାମୀଙ୍କୁ ରାସ୍ତାରୁ ହଟାଇବାର ଯୋଜନା କେବେଠାରୁ କରି ସାରିଥିଲେ। 

Advertisment

ଅଭିଯୁକ୍ତା ମୁସ୍କାନ ଗତ ନଭେମ୍ବରରୁ ସ୍ବାମୀଙ୍କ ହତ୍ୟାର ଯୋଜନା କରି ଦୁଇଟି ଧାରୁଆ ଛୁରୀ କିଣି ରଖିଥିଲେ। ‌ତାଙ୍କୁ ଦୋକାନୀ ପଚାରିବାରୁ ସେ କହିଥିଲେ କି ସେହି ଛୁରୀ ସେ ଚିକେନ୍‌ କାଟିବାରେ ବ୍ୟବହାର କରିବେ ବୋଲି।

କେବଳ ସେିତିକି ନୁହେଁ; ସେ ନିଜର ମାନସିକ ରୋଗ ଅଛି ବୋଲି ଅଭିନୟ କରି ଡାକ୍ତର ପାଖକୁ ଯାଇଥିଲେ। ଫଳରେ ସେ ନିଦ ବଟିକା ଆଣିଥିଲେ। ଯାହାକୁ କି ମହିଳା ଜଣକ ବ୍ୟବହାର କରି ସ୍ବାମୀଙ୍କୁ ଶୁଆଇକି ହତ୍ୟା କରିବାର ଯୋଜନା କରିଥିଲେ।

ଉଲ୍ଲେଖଯୋଗ୍ୟ, ମିରଟର ଇନ୍ଦିରା ନଗରର ବାସିନ୍ଦା ସୌରଭ ଏବଂ ମୁସ୍କାନଙ୍କର ୨୦୧୬ ମସିହାରେ ପ୍ରେମ ବିବାହ ହୋଇଥିଲା। ତା’ପରେ, ମୁସ୍କାନର ପ୍ରେମ ପାଇଁ, ସୌରଭ ମର୍ଚ୍ଚାଣ୍ଟ ନେଭି ଚାକିରି ମଧ୍ୟ ଛାଡି ଦେଇଥିଲେ। ପ୍ରେମ ବିବାହ ନିଷ୍ପତ୍ତି ଏବଂ ଚାକିରି ଛାଡିବା ଯୋଗୁଁ, ସୌରଭଙ୍କର ତାଙ୍କ ପରିବାର ସହିତ ବିବାଦ ଆରମ୍ଭ ହୋଇଗଲା। ପରିସ୍ଥିତି ଏତେ ଖରାପ ହେଲା ଯେ ସୌରଭ ଏବଂ ମୁସ୍କାନ ଅଲଗା ହୋଇ ଏକ ଭଡା ଘରେ ରହିବା ଆରମ୍ଭ କଲେ।

୨୦୧୯ ମସିହାରେ, ମୁସ୍କାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସମୟରେ ମୁସ୍କାନଙ୍କର, ସାହିଲ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯେତେବେଳେ ସୌରଭ ଏହା ଜାଣିବାକୁ ପାଇଲେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ‌ହୋଇ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଗଲା। କିନ୍ତୁ ତା’ପରେ ସୌରଭ ତାଙ୍କ ଝିଅର ଭବିଷ୍ୟତକୁ ଧ୍ୟାନରେ ରଖି ୨୦୨୩ ମସିହାରେ ପୁଣି କାମ କରିବା ପାଇଁ ବିଦେଶ ଚାଲିଗଲେ। ଝିଅର ଜନ୍ମଦିନ ପାଇଁ ସେ ଫେରିବା ପରେ ମୁସ୍କାନ ଓ ସାହିଲ ମାର୍ଚ୍ଚ ୪ରେ ତାଙ୍କୁ ରାସ୍ତାରୁ ହଟାଇଥିଲେ। ପ୍ରାୟ ୧୪ଦିନ ପରେ ଡ୍ରମରେ ସୌରଭଙ୍କୁ ଖଣ୍ଡ ଖଣ୍ଡ କରି ସିଲ୍ କରାଯାଇଥିବା ଜଣାପଡ଼ିଥିଲା।