ବେଙ୍ଗାଲୁରୁ: ଏବେ ଦେଶରେ କରୋନାଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ଉଦ୍ବେଗଜନକ ହୋଇପଡ଼ିଛି। ପ୍ରଥମ ୨୫ ହଜାର ମାମଲା ସାମ୍ନାକୁ ଆସିବା ପାଇଁ ୮୬ ଦିନ ଲାଗିଥିଲା। ଏହାପରେ ଆଉ ୨୫ ହଜାର ମାମଲା ମାତ୍ର ୧୧ ଦିନରେ ଚିହ୍ନଟ ହୋଇଥିଲା। ୫୦ ହଜାରରୁ ୭୫ ହଜାର କରୋନା ମାମଲା ମାତ୍ର ୭ ଦିନରେ ପହଞ୍ଚିଥିବା ବେଳେ ଏହାର ମାତ୍ର ୫ ଦିନ ପରେ ଦେଶରେ ମାମଲା ସଂଖ୍ୟା ୧ ଲକ୍ଷ ଟପିଗଲା। ଏଭଳି ସଙ୍କଟର ମୁକାବିଲା ପାଇଁ ସଂକ୍ରମଣକୁ ଯଥାସମ୍ଭବ କମ୍ କରିବାକୁ ଦେଶରେ ଏବେ ଲକ୍ଡାଉନ୍ ୪.୦ ଜାରି ହୋଇଛି। ଯଦି ଚଳିତ ମାସ ଶେଷରେ ଏହି ଲକ୍ଡାଉନ୍ ଉଠିଲେ ବି ଜୁଲାଇ ମଧ୍ୟଭାଗରେ ଭାରତରେ ସଂକ୍ରମଣ ମାମଲା ଶୀର୍ଷରେ ପହଞ୍ଚିବ। ଗତ ୨ ମାସ ମଧ୍ୟରେ ସଂକ୍ରମଣ ରୋକିବାପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଲକ୍ଡାଉନ୍ କଟକଣାର ସୁଫଳ ଭିତ୍ତିରେ ସଂକ୍ରମଣ ନିୟନ୍ତ୍ରଣରେ ରହିବ ବୋଲି ଆଶା କରାଯାଉଛି।
ଭାରତରେ ସଂକ୍ରମଣ ମାମଲା ଅନ୍ୟ ଦେଶ ଅପେକ୍ଷା କମ୍ ରହିଛି। ୬୨ ଦିନରେ ୧ ଶହରୁ ୧ ଲକ୍ଷ ମାମଲାରେ ପହଞ୍ଚିଥିଲେ ମଧ୍ୟ ବିଶ୍ବରେ ଅନ୍ୟ ପ୍ରମୁଖ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତରେ କରୋନା ମୃତ୍ୟୁ କମ୍ ରହିଛି। ଆଇସିଏମ୍ଆର୍ର ରଣନୀତି ଏବଂ କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସର ସୁଫଳ ମଧ୍ୟ ଦେଖିବାକୁ ମିଳିଛି। ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ମହାମାରୀ ବିଶେଷଜ୍ଞ ପ୍ରଫେସର ଗିରିଧର ଆର୍ ବାବୁ କହିଛନ୍ତି, ମେ’ ୩୧ରେ ଯଦି ଲକ୍ଡାଉନ୍ ଉଠେ ତେବେ ଜୁଲାଇ ମଧ୍ୟଭାଗ ବେଳକୁ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବ। ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ପରି ମହାନଗରୀରେ ଅଧିକ ବିପଦ ଥିବା ସ୍ଥାନମାନଙ୍କରେ ଅଧିକ ସତର୍କତା ଅବଲମ୍ବନ କରାଯିବାର ଆବଶ୍ୟକତା ରହିଛି ବୋଲି ଆର୍ ବାବୁ କହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ସେ ୬ ବର୍ଷ ପାଇଁ କାମ କରିଛନ୍ତି। ପ୍ରଫେସର ବାବୁ କହିଛନ୍ତି, ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ସଂକ୍ରମଣ ନ ବ୍ୟାପିବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ।
ଯେଉଁଠାରେ ଜନସଂଖ୍ୟା ଅଧିକ ରହିଛି ସେଠାରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ହେବ। ସେହିପରି ବସ୍ତି ଅଞ୍ଚଳରେ ଅଧିକ ଭିଡ଼ ହେଉଥିବାରୁ ସେସବୁ ସ୍ଥାନରେ ଅବରୋଧ ଅଞ୍ଚଳ ବଢ଼ାଇବାକୁ ପଡ଼ିବ ଏବଂ ଅଧିକରୁ ଅଧିକ କଠୋର ପଦକ୍ଷେପ ନେବାକୁ ହେବ। ସାମାଜିକ ଦୂରତ୍ବ ନିୟମ ଯେଭଳି କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ ସେ ଦିଗରେ ପ୍ରଶାସନ ଗୁରୁତ୍ବ ଦେଇ କାର୍ଯ୍ୟ କଲେ ସୁଫଳ ମିଳିବ। ଏବେ କୋହଳ କଟକଣା ଆଳରେ ଯଦି ସୁରକ୍ଷା ନିୟମକୁ ଅଣଦେଖା କରାଯାଏ ତା’ହେଲେ ସ୍ଥିତି ସାଂଘାତିକ ରୂପ ନେଇପାରେ। ଜନସାଧାରଣ ନିଜ ଆଡ଼ୁ ସଚେତନ ହେଲେ ସ୍ଥିତି ବଦଳିଯିବ ବୋଲି ସେ କହିଛନ୍ତି। ଆମେ ଆରମ୍ଭରୁ ଯେମିତି କଟକଣା ମଧ୍ୟରେ ରହିଲେ ଯଦି ତାହା ବଜାୟ ରହିବ, ତା’ହେଲେ ହିଁ ଭାରତ କରୋନା ଯୁଦ୍ଧରେ ବିଜୟୀ ହେବ ବୋଲି ପ୍ରଫେସର୍ ଆର୍ ବାବୁ କହିଛନ୍ତି। ତେବେ ଅଧିକ ସଂକ୍ରମିତ ମହାନଗରୀ ବ୍ୟତୀତ ସଂକ୍ରମିତ ଜିଲ୍ଲା ଓ ରାଜ୍ୟଗୁୂଡ଼ିକରେ ସ୍ୱାସ୍ଥ୍ୟରକ୍ଷା ଓ ଜନସ୍ୱାସ୍ଥ୍ୟ ଆଚରଣ କିଭଳି ବଦଳାଇବାକୁ ପଡ଼ିବ, ତାହା ଉପରେ କୌଣସି ସୁପାରିଶ କରିନାହାନ୍ତି। ଏବେ ଦେଶରେ ପ୍ରବାସୀଙ୍କ ପରିବହନ ସହ ସଂକ୍ରମଣ ବି ପରିବାହିତ ହେଉଥିବାରୁ ତାହା ଉପରେ ରୋକ୍ ଲଗାଇବା ସବୁଠୁ ବଡ଼ ଆହ୍ୱାନ ହୋଇଛି। ଅନ୍ୟ ପକ୍ଷରେ ପ୍ରବାସୀଙ୍କ କାର୍ଯ୍ୟସ୍ଥଳ ରାଜ୍ୟର ଅବହେଳା ଯୋଗୁ ସେମାନେ ଟେଷ୍ଟିଂର ସୁଯୋଗ ପାଇନାହାନ୍ତି କି ସାମାଜିକ ଦୂରତାରେ ଅବହେଳା ରହିଛି, ତାହା ହିଁ ଦେଶର ବ୍ୟବସ୍ଥା ପାଇଁ ଆହ୍ବାନ ପାଲଟିଛି।