ଶିକ୍ଷକମାନଙ୍କୁ ମାଗଣାରେ ଟିକା ଦେବାକୁ ଘରୋଇ ଡାକ୍ତରଖାନାର ସହାୟତା ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ: ସମଗ୍ର ଭାରତରେ କରୋନା ମହାମାରୀ ପାଇଁ ସ୍କୁଲ-କଲେଜ ବନ୍ଦ ଥିବା ବେଳେ ଏବେ ସରକାର ଏହାକୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ଯୋଜନା କରୁଛନ୍ତି। ବିଦ୍ୟାଳୟ ଖୋଲିବା ପାଇଁ  ବିତର୍କ ଚାଲିଥିବା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ  ଶିକ୍ଷକମାନଙ୍କୁ ମାଗଣାରେ ଟିକାକରଣ କରିବାକୁ ଘରୋଇ ଡାକ୍ତରଖାନାର ସହାୟତା ଲୋଡିଛି। ଘରୋଇ ହସ୍ପିଟାଲଗୁଡ଼ିକ ସେମାନଙ୍କର କର୍ପୋରେଟ୍ ସୋସିଆଲ୍ ରେସପନସିବିଲିଟି (ସିଏସଆର୍) ଅନ୍ତର୍ଗତ ଏହି ସହାୟତା ପ୍ରଦାନ କରିବାକୁ ସରାକାର ପ୍ରସ୍ତାବ ଦେଇଛନ୍ତି।

ଉଭୟ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ପ୍ରାୟ ୭୫ଲକ୍ଷ ସ୍କୁଲ ଶିକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଆକଳନ ଅନୁଯାୟୀ ୨୦% ରୁ କମ୍ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ଟିକାକରଣ କରାଯାଇଛି।

ସୂଚନା ମୁତାବକ, ଏମାନଙ୍କୁ ଟିକା ଦେବା ପାଇଁ ବେସରକାରୀ ଡାକ୍ତରଖାନାଗୁଡ଼ିକୁ ଏମଏନସି ଏବଂ ଅନ୍ୟ କମ୍ପାନିଗୁଡିକରୁ ସହାୟତା ମାଗିବାକୁ ଅନୁରୋଧ କରାଯାଇଥିଲା । ଗତ ସପ୍ତାହରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ଏବଂ ବେସରକାରୀ ଡାକ୍ତରଖାନାର ପ୍ରତିନିଧୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଦ୍ୟାଳୟଗୁଡ଼ିକ ସତର୍କତାର ସହ ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପୂର୍ବରୁ ସରକାର ଏମଏନସିର ସହାୟତା ଲୋଡିଥିଲେ।

ଥରେ ଘରୋଇ ଡାକ୍ତରଖାନାଗୁଡ଼ିକ ଏହି ସେବା ପ୍ରଦାନ କରିବା ଆରମ୍ଭ କଲେ, ଟିକାକରଣ କେନ୍ଦ୍ରଗୁଡ଼ିକରେ ଶିକ୍ଷକଙ୍କୁ ମାଗଣାରେ ଟିକା ଦିଆଯିବା ପଦକ୍ଷେପ ଅଧିକ ବ୍ୟାପକ କରାଯିବ ବୋଲି  ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର