ଭୁବନେଶ୍ବର: ସୋନି ବିବିସି ଆର୍ଥ ଫଟୋଗ୍ରାଫି ପ୍ରତିଯୋଗିତା-୨୦୨୨ ପାଇଁ ବିଶ୍ବର ଖ୍ୟାତନାମା ହୃଦ୍‌ରୋଗ ବି‌ଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା, ‘ଥ୍ରିଲ୍‌ ଅଫ୍‌ ଲାଇଫ୍‌’- ଅର୍ଥାତ୍‌ ଜୀବନର ରୋମାଞ୍ଚ। ଭୂଦୃଶ୍ୟ, ଦୁଃସାହସିକ କାର୍ଯ୍ୟ ଓ ବନ୍ୟଜନ୍ତୁ ଭଳି ବର୍ଗରେ ଭାଗ ନେବା ପାଇଁ ଗତ ଅଗଷ୍ଟ ୨୨ରେ ଫଟୋଗ୍ରାଫର୍‌ମାନଙ୍କ ନିକଟକୁ ଆମନ୍ତ୍ରଣ ପଠାଯାଇଥିଲା। ବିସ୍ତୃତ ଚୟନ ପ୍ରକ୍ରିୟା ପରେ ଚଳିତ ମାସ ୬ ତାରିଖରୁ ଫାଇନାଲିଷ୍ଟ ପାଇଁ ମତଦାନ ଆରମ୍ଭ ହୋଇଥିଲା। ଫାଇନାଲିଷ୍ଟ ହେବା ପରେ ଡା. ପଣ୍ଡା କହିଛନ୍ତି, ସୋନି ବିବିସି ଆର୍ଥ ପାଇଁ ଫାଇନାଲିଷ୍ଟ ହେବା ମୋ ପାଇଁ ସୌଭାଗ୍ୟର ବିଷୟ।

Advertisment

ବନ୍ୟପ୍ରାଣୀ ଫଟୋଗ୍ରାଫି ସବୁବେଳେ ମୋ ପାଇଁ ‘‌ ଷ୍ଟ୍ରେସ୍‌ ବୁଷ୍ଟର’ ବା ଚିନ୍ତା ନିବାରକ ହୋଇ ରହିଆସିଛି। ଭାରତ, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ, କେନିୟା ଆଦି ଦେଶରେ ଜଙ୍ଗଲରେ ଫଟୋଗ୍ରାଫି ମାଧ୍ୟମରେ ଆକର୍ଷଣୀୟ ବିଷୟବସ୍ତୁ ଖୋଜିବାରେ ଡାକ୍ତର ପଣ୍ଡା ସପ୍ତାହାନ୍ତ ଆନନ୍ଦ ନେଇଥାନ୍ତି। ସେ ଏହି କ୍ଷେତ୍ରରେ ମଧ୍ୟ ଜଣେ ପରୋପକାରୀ ବ୍ୟକ୍ତିତ୍ବ। ୨୦୨୧ରେ ଡାକ୍ତର ପଣ୍ଡା ମଧ୍ୟପ୍ରଦେଶର ପ୍ରସିଦ୍ଧ ବାନ୍ଧବଗଡ଼ ଜାତୀୟ ଉଦ୍ୟାନ (ବିଏନ୍‌ପି) ଓ ଅଭୟାରଣ୍ୟର ନିକଟବର୍ତ୍ତୀ ଅଞ୍ଚଳର ଆଖପାଖ ଦୁଇ ହଜାର ଗରିବ ଜଙ୍ଗଲ ଶ୍ରମିକଙ୍କ ପାଇଁ ପରିବେଶ ଅନୁକୂଳ ଅବକାଶ ରିସୋର୍ଟ ଘୋଷଣା କରିଥିଲେ। ସେ ମଧ୍ୟ କାହ୍ନା ଜାତୀୟ ଉଦ୍ୟାନ ଓ ଭରତପୁର ପକ୍ଷୀ ଅଭୟାରଣ୍ୟରେ ଏକ ପାର୍କିଂ ସ୍ଥଳ ପ୍ରତିଷ୍ଠା ପାଇଁ ଏକ ପେଟ୍ରୋଲ୍‌ ପମ୍ପ ଏବଂ ବୁମ୍‌ ବ୍ୟାରିୟର୍‌ ପ୍ରଦାନ କରିଛନ୍ତି। ଏଥିରୁ ହେବାକୁ ଥିବା ଆୟ ଉଭୟ ସଂରକ୍ଷିତ ବନାଞ୍ଚଳରେ କାର୍ଯ୍ୟରତ ଶ୍ରିମକମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ୨୦୨୩ ଜୁଲାଇରେ ଲଣ୍ଡନର ନେହରୁ ସେଣ୍ଟରରେ ତାଙ୍କ ଦ୍ବାରା ଉତ୍ତୋଳିତ ଫଟୋର ପ୍ରଦର୍ଶନ ହେବ। ସୋନି ବିବିସି ଆର୍ଥ ପ୍ରତିଯୋଗିତା ବିଜେତାଙ୍କ ନାମ ଚଳିତ ସପ୍ତାହରେ ଘୋଷଣା କରାଯିବ। ବନ୍ୟଜୀବ ପୁରସ୍କାର ବିଜେତା ଫଟୋଗ୍ରାଫର୍‌ ରଥିକା ରାମାସାମି ଏହି ପ୍ରତିଯୋଗିତାର ବିଚାର କରିବେ।