କ୍ରମାଗତ ପଞ୍ଚମ ଦିନରେ ଭାରତରେ ୫୦ ହଜାରରୁ କମ୍ ନୂତନ ମାମଲା: ଦେଶରେ ସକ୍ରିୟ କରୋନା ମାମଲା ୪.୯ ଲକ୍ଷରୁ କମ

ମୋଟ ପଜିଟିଭ୍ ମାମଲା ୫.୬୩%କୁ ହ୍ରାସ

ନୂଆଦିଲ୍ଳୀ: କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ଗତ ୨୪ ଘଣ୍ଟାରେ ନୂଆ କରୋନା ମାମଲା ୫୦ ହଜାରକୁ ଅତିକ୍ରମ କରିନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭,୯୦୫ ଜଣ କୋଭିଡ-୧୯ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । କ୍ରମାଗତ ୪୦ ଦିନରେ ଦୈନିକ ନୂଆ ପଜିଟିଭ୍ ମାମଲା ତୁଳନାରେ ଦୈନିକ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨,୭୧୮ ଜଣ ସୁସ୍ଥ ହୋଇଛନ୍ତି । ଏହି ଧାରା ଜାରି ଥିବାରୁ ଦେଶରେ ଏବେ ସକ୍ରିୟ ମାମଲା ହ୍ରାସ ପାଇ ୪.୯୮ ଲକ୍ଷରେ ରହିଛି । ଏହା ଦେଶର ମୋଟ କରୋନା ପଜିଟିଭ୍ ମାମଲାର ୫.୬୩% ହୋଇଥିବା ବେଳେ ଦେଶରେ ମୋଟ ସକ୍ରିୟ ମାମଲାର ସଂଖ୍ୟା ୪,୮୯,୨୯୪, ଯାହାକି ୫ ଲକ୍ଷରୁ ତଳେ ରହିଛି । ନୂଆ ପଜିଟିଭ୍ ମାମଲା ତୁଳନାରେ ଦୈନିକ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ସୁସ୍ଥତା ହାର ବୃଦ୍ଧି ପାଇଛି । ଏହା ଏବେ ୯୨.୮୯% ରହିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ୮୦,୬୬,୫୦୧ । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୭୫,୭୭,୨୦୭ରେ ପହଞ୍ଚିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୮% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୯୧୬୪ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ଦିଲ୍ଲୀରେ ୭୨୬୪ ଜଣ ଏବଂ କେରଳରେ ୭୨୫୨ ଜଣ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭ୍ ମାମଲାରୁ ୭୮% ଆସିଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଦିଲ୍ଲୀରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଏଠାରେ ଗୋଟିଏ ଦିନରେ ସର୍ବାଧିକ ନୂଆ ୮୫୯୩ ପଜିଟିଭ୍ ମାମଲା ଆସିଛି । ଏହା ପଛକୁ କେରଳରେ ୭୦୦୭ ଏବଂ ମହାରାଷ୍ଟ୍ରରେ ୪୯୦୭ ନୂଆ ମାମଲା ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫୦ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ମୃତ୍ୟୁହାର ରହିଛି ୧.୪୮% । ନୂଆ ମୃତ୍ୟୁ ମଧ୍ୟରୁ ୮୦% ହୋଇଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ କେବଳ ୨୨.୭%, ଅର୍ଥାତ ୧୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ଦିଲ୍ଲୀରେ ୮୫ ଏବଂ ପଶ୍ଚିମବଙ୍ଗରେ ୪୯ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର