ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଦ୍ବାରା ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନ କରାଯାଇଛି। ପ୍ୟାନେଲରେ ବିଜେଡିର ରାଜ୍ୟସଭା ନେତା ଡ. ସସ୍ମିତ ପାତ୍ରଙ୍କୁ ପୁନଃମନୋନୀତ କରାଯାଇଛି। ଓଡ଼ିଶାର ପ୍ରଥମ ରାଜ୍ୟସଭା ସାଂସଦରୂପେ ସସ୍ମିତ ଚତୁର୍ଥ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି।

Advertisment

ସେହିଭଳି ରାଜ୍ୟସଭାର ମ‌ନୋନୀତ ସଦସ୍ୟ ଡ. ସୋନାଲ ମାନସିଂହ ମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ ହୋଇଛନ୍ତି। ପୁନର୍ଗଠିତ ୮ ଜଣିଆ ଉପାଧ୍ୟକ୍ଷ ପ୍ୟାନେଲରେ ୫୦ ପ୍ରତିଶତ ମହିଳା ସ୍ଥାନ ପାଇଛନ୍ତି। ଡ. ସୋନାଲ ମାନସିଂହଙ୍କ ବ୍ୟତୀତ ଫୁଲବେଦୀ ନେତାନ, ଦର୍ଶନା ସିଂହ ଓ ଏସ୍. ଫାନଗନ କନୟାକ ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି। ଏହି ପ୍ୟାନେଲରେ ସ୍ଥାନ ପାଇଥିବା ଅନ୍ୟ ସାଂସଦମାନେ ହେଲେ ଭି. ବିଜୟ ସାଇ ରେଡ୍ଡୀ, ସୁଖେନ୍ଦୁ ଶେଖର ରାୟ ଓ କାର୍ତ୍ତିକେୟ ଶର୍ମା। ଡ. ସୋନାଲ ମାନସିଂହ ରାଜ୍ୟସଭା ସଦସ୍ୟ ରୂପେ ଜୁଲାଇ ୧୪, ୨୦୧୮ରେ ଶପଥ ଗ୍ରହଣ କରିଥିଲେ। ରାଜ୍ୟସଭାର ସଦସ୍ୟରୂପେ ତାଙ୍କର ସକ୍ରିୟତା ରହିଛି। ସେହିଭଳି ଡ. ପାତ୍ର ପ୍ରଥମଥର ପାଇଁ ୨୦୨୦ରେ ଏବଂ ଦ୍ବିତୀୟ ଥର ପାଇଁ ୨୦୨୨ରେ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କିୟା ନାଇଡୁଙ୍କ ଦ୍ବାରା ପ୍ୟାନେଲରେ ସ୍ଥାନ ପାଇଥିଲେ। ଡ. ପାତ୍ରଙ୍କୁ ପୁଣିଥରେ ଡିସେମ୍ବର ୬, ୨୦୨୨ରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଦ୍ବାରା ନିଯୁକ୍ତି ମିଳିଥିଲା। ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ମନୋନୀତ ପ୍ୟାନେଲରୁ ଜଣେ ରାଜ୍ୟସଭାର ପରିଚାଳନା କରିଥାନ୍ତି।