ଲଗାତାର ୩ ଦିନ ଧରି ଦେଶରେ ସଂକ୍ରମଣ ୨ ହଜାର ଉପରେ: ଦିଲ୍ଲୀରେ ଦିନକରେ ୧୦୪୨ ମାମଲା

୨୪ ଘଣ୍ଟାରେ ୫୪ ମୃତ୍ୟୁ; ତାମିଲନାଡ଼ୁରେ ବି ମାସ୍କ ବାଧ୍ୟତାମୂଳକ, ଦିଲ୍ଲୀ ସ୍କୁଲ୍‌ରେ ଅଧିକ ସତର୍କତା ଅବଲମ୍ବନ

ନୂଆଦିଲ୍ଲୀ: ଦେଶରେ ଆଜି ୨,୪୫୧ ନୂଆ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଲଗାତାର ୩ ଦିନ ଧରି ଦେଶରେ ସଂକ୍ରମଣ ୨ ହଜାର ଉପରେ ରହୁଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୫୨,୪୨୫ ଥିବା ବେଳେ ଏବେ ସକ୍ରିୟ ମାମଲା ୧୪,୨୪୧ ରହିଛି। ୨୪ ଘଣ୍ଟାରେ ଦେଶରେ ୫୪ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୨,୧୧୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ପଜିଟିଭ୍‌ ହାର ୪.୬୪%ରେ ପହଞ୍ଚିଥିବା ବେଳେ ଦିନକରେ ୧୦୪୨ ମାମଲା ସାମ୍ନାକୁ ଆସିଛି।

ଦେଶରେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୩ ପ୍ରତିଶତ ଏବଂ କୋଭିଡ୍‌ ଆରୋଗ୍ୟ ହାର ୯୮.୭୫ ପ୍ରତିଶତ ରହିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୦.୫୫ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୦.୪୭ ପ୍ରତିଶତ ରହିଛି। ମୋଟ୍‌ ୪,୨୫,୧୬,୦୬୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୨୧ ପ୍ରତିଶତ ରହିଛି। ଦେଶରେ ଟିକାକରଣ ୧୮୭.୨୬ କୋଟି ଟପିଯାଇଛି। ସଂକ୍ରମଣ ବଢ଼ିବାରୁ ବିଭିନ୍ନ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ହୋଇଛି। ଦିଲ୍ଲୀ, ପଂଜାବ ପରେ ଆଜି ତାମିଲନାଡ଼ୁ ମଧ୍ୟ ମାସ୍କ ବାଧ୍ୟତାମୂଳକ କରିଛି। ମାସ୍କ ନିୟମର ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା ହେବ ବୋଲି ଘୋଷଣା ହୋଇଛି। ତେବେ ଦିଲ୍ଲୀରେ କେବଳ ସର୍ବସାଧାରଣ ସ୍ଥଳରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦିଲ୍ଲୀରେ ସ୍କୁଲ୍‌ଗୁଡ଼ିକରେ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ ହୋଇଛି।

ସମ୍ବନ୍ଧିତ ଖବର