ଦେଶର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ୧୧.୧୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରାଯିବ। ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ରେକର୍ଡ ବ୍ୟୟବରାଦ କରାଯାଇଥିବା ବେଳେ ସଡ଼କ ଓ ରେଳପଥ ନିର୍ମାଣ ଲାଗି ମଧ୍ୟ ଯଥେଷ୍ଟ ଟଙ୍କା ଦିଆଯାଇଛି। ବିଏସ୍‌ଏନ୍‌ଏଲ୍‌କୁ ଦୃଢ଼ କରିବା ଲାଗି ସରକାର ବିପୁଳ ପାଣ୍ଠି ପ୍ରଦାନ କରିଛନ୍ତି

Advertisment

ନୂଆଦିଲ୍ଲୀ: ବଜେଟ୍‌‌ରେ ପ୍ରତିରକ୍ଷା କ୍ଷେତ୍ରକୁ ସର୍ବକାଳୀନ ସର୍ବାଧିକ ୬,୨୧,୯୪୦.୮୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ କୌଣସି ବଜେଟ୍‌ରେ ପ୍ରତିରକ୍ଷାକୁ ଏତେ ଅଧିକ ପାଣ୍ଠି ଦିଆଯାଇନଥିଲା। ଚଳିତ ବର୍ଷ ମୋଟ୍‌ ବଜେଟ୍‌ର ୧୨.୯ ପ୍ରତିଶତ ପାଣ୍ଠି ପ୍ରତିରକ୍ଷାକୁ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୂଚନା ଅନୁସାରେ ସେନା ବାହିନୀକୁ ସୁଦୃଢ଼ କରିବା ଲାଗି ୧,୭୨,୦୦୦ କୋଟି ଟଙ୍କାର ପୁଞ୍ଜି ଅଟକଳ ଧାର୍ଯ୍ୟ କରାଯାଇଛି। ଆତ୍ମନିର୍ଭର ଭାରତକୁ ସହଯୋଗ କରିବା ଲାଗି ସ୍ଥାନୀୟ ପୁଞ୍ଜି ପ୍ରକ୍ୟୁରମେଣ୍ଟ ଲାଗି ୧,୦୫,୫୧୮.୪୩ କୋଟି ଟଙ୍କା ଦିଆଯାଇଛି। ସୀମା ରେଖା ନିକଟରେ ସଡ଼କ ନିର୍ମାଣ ଲାଗି ଏଥର ୩୦ ପ୍ରତିଶତ ଅଧିକ ପାଣ୍ଠି ଦିଆଯାଇଛି। ବର୍ଡର ରୋଡ ଅର୍ଗାନାଇଜେସନକୁ ୬୫୦୦ କୋଟି ଟଙ୍କା ଦିଆଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକୁ ସହଯୋଗ କରିବାଲାଗି ଆଇଡିଇଏକ୍ସ ସ୍କିମ୍‌ରେ ୫୧୮ କୋଟି ଟଙ୍କା ଦିଆଯାଇଛି। ଏହି ପାଣ୍ଠିକୁ ଷ୍ଟାର୍ଟଅପ୍, ଏମ୍ଏସ୍‌ଏମ୍ଇ ଓ ନବସୃଜନକାରୀଙ୍କୁ ପ୍ରଦାନ କରାଯିବ। ପ୍ରତିରକ୍ଷା ପେନ୍‌ସନ୍ ପାଇଁ ୧.୪୧ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା ବେଳେ ଉପକୂଳ ନିରାପତ୍ତା ଲାଗି ୭,୬୫୧ କୋଟି ଟଙ୍କା ଦିଆଯାଇଛି।

୨୦୨୨-୨୩ର ବ୍ୟୟବରାଦ ତୁଳନାରେ ୨୦୨୪-୨୫ର ପ୍ରତିରକ୍ଷା ବଜେଟ୍ ଅଟକଳ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଅଧିକ। ଏଥର ବଜେଟ୍‌ର ୨୭.୬୬ ପ୍ରତିଶତ ରାଶି ପୁଞ୍ଜି ବ୍ୟୟ, ୧୪.୮୨ ପ୍ରତିଶତ ରାଜସ୍ବ ବ୍ୟୟ, ୩୦.୬୬ ପ୍ରତିଶତ ବେତନ ଓ ଭତ୍ତା, ୨୨.୭୦ ପ୍ରତିଶତ ପ୍ରତିରକ୍ଷା ପେନ୍‌ସନ୍ ଏବଂ ୪.୧୭ ପ୍ରତିଶତ ନାଗରିକ ସଂଗଠନଗୁଡ଼ିକ ଲାଗି ପ୍ରଦାନ କରାଯାଇଛି। ଏକ୍ସ-ସର୍ଭିସ୍‌ମେନ୍ କଣ୍ଟ୍ରିବ୍ୟୁଟରି ସ୍ବାସ୍ଥ୍ୟ ସ୍କିମ୍ (ଇସିଏଚ୍‌ଏସ୍‌) ପାଇଁ ୬୯୬୮ କୋଟି ଟଙ୍କାପ୍ରଦାନ କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀକୁ ୭୬୫୧ କୋଟି ଟଙ୍କା ଦିଆଯାଇଛି।

publive-image

ନୂଆଦିଲ୍ଲୀ: ବଜେଟ୍‌ରେ ଟେଲିଯୋଗାଯୋଗ ଲାଗି ୧.୨୮ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେଥିରୁ ସିଂହଭାଗ ଅର୍ଥାତ ୮୨,୯୧୬ କୋଟି ଟଙ୍କା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)କୁ ପ୍ରଦାନ କରାଯାଇଛି। ଅନ୍ୟତମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ଟିଏନ୍‌ଏଲ୍‌ର ବ୍ୟୟବରାଦକୁ ମିଶାଇ ଉଭୟ କମ୍ପାନି ଲାଗି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣ୍ଠି ଦିଆଯାଇଛି। ବିଏସ୍‌ଏନ୍‌ଏଲ୍‌ ସମେତ ଟେଲିକମ୍ ବିଭାଗ କର୍ମଚାରୀଙ୍କ ପେନ୍‌ସନ୍ ପାଇଁ ୧୭,୫୧୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଏମ୍‌ଟିଏନ୍‌ଏଲ୍‌ର ବଣ୍ଡ୍‌ ପେମେଣ୍ଟ୍‌ ଲାଗି ୩୬୬୮.୯୭ କୋଟି ଟଙ୍କା ଦିଆଯାଇଛି।

ନୂଆଦିଲ୍ଲୀ: ପୂର୍ଣ୍ଣାଙ୍ଗ ବଜେଟ୍‌ରେ ପୁଞ୍ଜି ବ୍ୟୟକୁ ୧୧.୧୧ ଲକ୍ଷ କୋଟି ଟଙ୍କାରେ ଅପରିବର୍ତ୍ତିତ ରଖାଯାଇଛି। ଚଳିତ ବର୍ଷ ଫେବ୍ରୁଆରିରେ ଅନ୍ତରୀଣ ବଜେଟ୍‌ ଘୋଷଣା ବେଳେ ପୁଞ୍ଜି ବ୍ୟୟକୁ ୧୧.୧ ପ୍ରତିଶତ ବଢ଼ାଇ ତାହାକୁ ୧୧.୧୧ ଲକ୍ଷ କୋଟି ଟଙ୍କା କରାଯାଇଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଭିତ୍ତିଭୂମି ବିକାଶ ଲାଗି ପାଣ୍ଠି ଯୋଗାଡ଼ କରିବା ଉପରେ ପୂର୍ବଭଳି ସରକାରଙ୍କ ଜୋର ରହିବ। ପୁଞ୍ଜି ବ୍ୟୟ ହେଉଛି ସେହି ବ୍ୟୟ ଯାହାକୁ ସ୍ଥାୟୀ ସମ୍ପତ୍ତି ଓ ଭିତ୍ତିଭୂମି ଗଠନ କରିବାରେ ବ୍ୟବହାର କରାଯାଏ, ଯାହାର ଲାଭ ଦୀର୍ଘକାଳୀନ ପର୍ଯ୍ୟନ୍ତ ମିଳିଥାଏ। ସେହିପରି ରାଜସ୍ବ ବ୍ୟୟ ହେଉଛି କର୍ମଚାରୀଙ୍କୁ ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ଆଦିରେ ହେଉଥିବା ବ୍ୟୟ। ୨୦୨୪-୨୫ର ପୁଞ୍ଜି ବ୍ୟୟ ହେଉଛି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩.୪ ପ୍ରତିଶତ। ରାଜ୍ୟଗୁଡ଼ିକର ଭିତ୍ତିଭୂମି ଲାଗି ସହାୟତା ପ୍ରଦାନ କରିବା ପାଇଁ ଅର୍ଥମନ୍ତ୍ରୀ ୧.୫ ଲକ୍ଷ କୋଟି ଟଙ୍କାର ଦୀର୍ଘକାଳୀନ ସୁଧମୁକ୍ତ ଋଣ ସହାୟତାର ବ୍ୟବସ୍ଥା କରାଯାଇଛି। ୨୦୧୯-୨୦ରେ ପୁଞ୍ଜି ବ୍ୟୟ ପରିମାଣ ୩.୧୧ ଲକ୍ଷ କୋଟି ଟଙ୍କା ଥିଲା। ଗତ ଆର୍ଥିକ ବର୍ଷରେ ତାହାକୁ ତିନି ଗୁଣା ବଢ଼ାଇ ୧୦ ଲକ୍ଷ କୋଟି ଟଙ୍କା କରାଯାଇଥିଲା। ୨୦୨୦-୨୧ରେ ପୁଞ୍ଜି ବ୍ୟୟ ୪.୧ ଲକ୍ଷ କୋଟି ଟଙ୍କା ଓ ୨୦୨୧-୨୨ରେ ୫.୯ ଲକ୍ଷ କୋଟି ଟଙ୍କା ଥିଲା।