ଦେଶବ୍ୟାପୀ ହିଂସା ପାଇଁ କର୍ଣ୍ଣି ସେନାର ଧମକ

ପୁଣି ତେଜିଲା ପଦ୍ମାବତୀ ବିବାଦ

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ବଂଶାଲିଙ୍କ ଚଳଚ୍ଚିତ୍ର ପଦ୍ମାବତୀର ନାମ ବଦଳି ‘ପଦ୍ମାବତ’ ହୋଇଥିଲେ ମଧ୍ୟ ଏହାକୁ ନେଇ ବିବାଦ ଥମିବାର ନାଁ ଧରୁନି। ସେନ୍‌୍‌ସର ବୋର୍ଡ (ସିଏଫବିସି)ଏହି ଚଳଚ୍ଚିତ୍ରର ବବାଦୀୟ ଟାଇଟଲ ବଦଳାଇବା ସହ କେତେକ ଜରୁରୀ ପରିବର୍ତ୍ତନ ସହ ଏହାର ମୁକ୍ତିଲାଭ ପାଇଁ ଅନୁମୋଦନ ଦେଇଥିଲେ ମଧ୍ୟ ଏହାକୁ ରାଜପୁତ କର୍ଣ୍ଣି ସେନା ଗ୍ରହଣ କରିନାହିଁ। ଚଳଚ୍ଚିତ୍ରର ସମ୍ଭାବ୍ୟ ରିଲିଜ୍‌ ତାରିଖ ନେଇ ଚର୍ଚ୍ଚା ହେବା ପରେ ଏହାକୁ ସେନା ତୀବ୍ର ବିରୋଧ କରିଛି। ଆଜି ରାଜପୁତ ସେନା ପକ୍ଷରୁ ଜୟପୁରରେ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଚଳଚ୍ଚିତ୍ରକୁ ବ୍ୟାନ୍‌ ଘୋଷଣା କରିବା ପାଇଁ ଦାବି କରାଯାଇଛି। ଏହାକୁ ଅମାନ୍ୟ କଲେ ସାରା ଦେଶରେ ନିଅାଁ ଜଳିବ ବୋଲି ସେନା ସାଧାରଣ ସମ୍ପାଦକ ସୁଖଦେବ ସିଂହ ଗୋଗାମେଡ଼ି କହିଛନ୍ତି। ଦେଶବ୍ୟାପୀ ଏହାକୁ ନେଇ ବିରୋଧ ପ୍ରଦର୍ଶନ ସହ ସିଏଫବିସି ଅଧ୍ୟକ୍ଷ ପ୍ରସୂନ ଯୋଶୀ ଏବଂ ଚଳଚ୍ଚିତ୍ରର କଳାକାରମାନଙ୍କୁ ଜୋର୍‌ଦାର ବିରୋଧ କରାଯିବ ବୋଲି ଧମକ ଦିଆଯାଇଛି। ଚଳଚ୍ଚିତ୍ରକୁ ରିଲିଜ୍‌ ଅନୁମତି ନଦେବା ପାଇଁ କେନ୍ଦ୍ର ସରକାର ଆଶ୍ୱାସନା ଦେଇଥିଲେ, କିନ୍ତୁ କାହା ଚାପରେ ପୁଣି ଏହାର ରିଲିଜ୍‌କୁ ନେଇ ସରକାର ସମ୍ମତି ଦେଲେ ସେ ନେଇ ଜବାବ୍‌ ରଖିବାକୁ ଦାବି କରାଯାଇଛି। ଯଦି ଏହି ଫିଲ୍ମ ରିଲିଜ୍‌ ହେବ ତେବେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ଓ ରାଜସ୍ଥାନ ମାଟିର କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଥୋଡଙ୍କ ଇସ୍ତଫା ଦାବି କରାଯିବ। ଆସନ୍ତା ୨୭ରେ ରାଜସ୍ଥାନର ଐତିହାସିକ ଚିତ୍ତୋରଗଡ଼ରୁ ଆନ୍ଦୋଳନ ଆରମ୍ଭ କରିବାକୁ ସେନାର ରାଷ୍ଟ୍ରୀୟ ସମ୍ପାଦକ ଲୋକେନ୍ଦ୍ର ସିଂହ କହିଛନ୍ତି। ଚଳଚ୍ଚିତ୍ର ନିର୍ମାତା ଏହି ଫିଲ୍ମକୁ ଭାରତ କିମ୍ବା ଅନ୍ୟ ଦେଶରେ ରିଲିଜ୍‌ କରାଇବାକୁ ଉଦ୍ୟମ କଲେ ବିଷମ ପରିଣତି ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ,ଗତ ୨୮ତାରିଖରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ୫ ଜଣିଆ କମିଟିଙ୍କ ସମେତ ମେଓ୍ଵାର ରାଜପରିବାର ସଦସ୍ୟଙ୍କୁ ଚଳଚ୍ଚିତ୍ର ଦେଖି ସେମାନଙ୍କ ରାୟ ଦେଇଥିଲେ।

ଫ୍ରେବ୍ରୁଆରି ୯ରେ ହେବ ରିଲିଜ!

ନୂଆଦିଲ୍ଲୀ: ବିବାଦୀୟ ଐତିହାସିକ ଚଳଚ୍ଚିତ୍ର‘ ପଦ୍ମାବତ’କୁ ଦେଖିବା ପାଇଁ ସବୁ ମହଲରେ ହେଉଥିବା ପ୍ରତୀକ୍ଷାର ଅନ୍ତ ୯ରେ ଘଟିବ। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ଏହାର ରିଲିଜ୍‌କୁ ନେଇ ସବୁଜ ସଙ୍କେତ ଦେବା ପରେ ଆଜି ଏହାର ନୂତନ ରିଲିଜ୍‌ ତାରିଖ ବାହାରିଥିବା ଚର୍ଚ୍ଚା ହେଉଛି। ଫେବ୍ରୁଆରି ୯ ତାରିଖରେ ଏହି ଚଳଚ୍ଚିତ୍ର ଦେଶବ୍ୟାପୀ ରିଲିଜ୍‌ ହେବ ବୋଲି ବକ୍ସ ଅଫିସ୍‌ ବିଶେଷଜ୍ଞ ରମେଶ ଓ୍ଵାଲା ଟ୍ଵିଟ କରି ଜଣାଇଛନ୍ତି। ଚଳଚ୍ଚିତ୍ର ସୁଟିଂ ବେଳୁ ହିଁ ବିବାଦ ଘେରରେ ଥିବାରୁ ଏହାର ରିଲିଜ୍‌କୁ ନେଇ ଅନେକ ଆଶଙ୍କା ଉପୁଜିଛି। ଡିସେମ୍ବର ୩୦ ଓ ଜାନୁଆରି ୨୬ ରିଲିଜ୍‌ ତାରିଖ ପରେ ଏବେ ଫେବୃଆରି ୯କୁ ସମସ୍ତେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର