ଜବରଦସ୍ତ ଜନ୍ମ ନିୟନ୍ତ୍ରଣ ମାରାତ୍ମକ ହୋଇପାରେ: ଜୟଶଙ୍କର

ଗାନ୍ଧୀନଗର: ଶିକ୍ଷା, ସାମାଜିକ ସଚେତନତା ଏବଂ ବିକାଶ ଯୋଗୁ ଭାରତରେ ଜନ୍ମହାର ହ୍ରାସ ପାଉଛି। କିନ୍ତୁ ଜବରଦସ୍ତ ଜନସଂଖ୍ୟା ନିୟନ୍ତ୍ରଣ ମାରାତ୍ମକ ଫଳ ଆଣିପାରେ ବୋଲି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ଏହା ଲିଙ୍ଗଗତ ଅସନ୍ତୁଳନ ସୃଷ୍ଟି କରିପାରେ ବୋଲି ଗାନ୍ଧୀନଗରଠାରେ ନିଜ ପୁସ୍ତକ ‘ଦ ଇଣ୍ଡିଆ ୱେ: ଷ୍ଟ୍ରାଟେଜିଜ୍ ଫର୍ ଆନ୍ ଅନ୍‌ସର୍ଟନ ୱାର୍ଲଡ୍’ର ଗୁଜରାଟୀ ଅନୁବାଦ ଉନ୍ମୋଚନ ଅବସରରେ ଜୟଶଙ୍କର କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ବିଦେଶ ମନ୍ତ୍ରୀ କହିଛନ୍ତି, ଭାରତର ଜନସଂଖ୍ୟା ବୃଦ୍ଧିହାର କମୁଛି। ଏହାର କାରଣ ହେଉଛି ଶିକ୍ଷା, ସାମାଜିକ ସଚେତନତା ଓ ଉନ୍ନତି। ସମୟର ଗତି ଅନୁସାରେ ପରିବାରଗୁଡ଼ିକର ଆକାର ଛୋଟରୁ ଛୋଟ ହେବାରେ ଲାଗିଛି। ଜୟଶଙ୍କର ପୁଣି କହିଥିଲେ ଯେ, ଗୋଟିଏ ସକାରାତ୍ମକ ଦିଗ ହେଲା, ବିଭିନ୍ନ ମୃତ୍ୟୁ ସୂଚକରେ ଉନ୍ନତି ଘଟିଛି। କିନ୍ତୁ ଜନସଂଖ୍ୟାରୁ ଲାଭ ଉଠାଇ ଲୋକଙ୍କୁ କୌଶଳ ଶିକ୍ଷା ଓ ତାଲିମ ଦେଇ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବା ଦ୍ବାରା ଜୀବନ ଧାରଣ ମାନରେ ଯେତିକି ଉନ୍ନତି ଆଣିବା କଥା ସେତିକି ଅଣାଯାଇ ପାରି ନାହିଁ। ଭାରତର ଜନ୍ମହାର ଜଣେ ମହିଳା ପିଛା ୨.୧ ଥିବାବେଳେ ତାହା ଏବେ ୨କୁ କମିଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର