ନୂଆଦିଲ୍ଲୀ: ଜୋର୍ ଜବରଦସ୍ତ ବାଲ୍ୟ ବିବାହ କରାଯାଇଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଆଜି ସୁପ୍ରିମକୋର୍ଟ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ନାବାଳିକା ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ସହଯୋଗ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ କହିଥିଲେ ଯେ ତାଙ୍କ ପରିବାର ତାଙ୍କୁ ୨୦୨୪ ଡିସେମ୍ବର ୯ ତାରିଖରେ ଜଣେ ୩୨-୩୩ ବର୍ଷୀୟ କଣ୍ଟ୍ରାକ୍ଟରଙ୍କୁ ବିବାହ କରାଇଥିଲେ ଯାହାଠାରୁ ସେମାନେ ଋଣ ନେଇଥିଲେ। ଶାଶୂ ଘରେ ଏବେ ତାଙ୍କୁ ଶାରୀରିକ ଔ ମାନସିକ ନିର୍ଯାତନା ଦିଆଯାଉଛି। ନାବାଳିକା ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ସେ ନିକଟରେ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ ଏବଂ ସେ ତାଙ୍କ ପାଠପଢ଼ା ଜାରି ରଖିବାକୁ ଚାହାନ୍ତି। କିନ୍ତୁ ଶାଶୂଘର ଲୋକ ଏଥିରେ ରାଜି ନାହାନ୍ତି।
ନାବାଳିକା ତାଙ୍କୁ ତାଙ୍କ ପରିବାର ଏବଂ ସ୍ବାମୀଙ୍କଠାରୁ ସୁରକ୍ଷା ଦେବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ବାଲ୍ୟ ବିବାହ ନିଷିଦ୍ଧ ଆଇନ, ୨୦୦୬ ଅଧୀନରେ ତାଙ୍କ ବିବାହ ରଦ୍ଦ କରିବାପାଇଁ ଅନୁରୋଧ କରିଛନ୍ତି। ନାବାଳିକା ଜଣଙ୍କ ପୁଣିଥରେ କହିଛନ୍ତି, ସେ ନିଜ ଇଚ୍ଛାରେ ତାଙ୍କର ଜଣେ ବନ୍ଧୁଙ୍କ ସହ ଘରୁ ପଳାଇ ଆସିଛନ୍ତି। କିନ୍ତୁ ତାଙ୍କ ପରିବାର ସଦସ୍ୟ ତାଙ୍କ ବନ୍ଧୁଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିଛନ୍ତି। ଜଷ୍ଟିସ ଉଜ୍ଜ୍ବଳ ଭୂୟାଁ ଏବଂ ମନମୋହନଙ୍କ ଖଣ୍ଡପୀଠ ନାବାଳିକାଙ୍କ ଆବେଦନର ଶୁଣାଣି କରି ମାମଲାରେ ବିହାର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍ କରିଛନ୍ତି। ନାବାଳିକା ଏବଂ ତାଙ୍କ ବନ୍ଧୁଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାପାଇଁ ଖଣ୍ଡପୀଠ ବିହାର ଡିଜିପି ଏବଂ ଦିଲ୍ଲୀ ପୁଲିସ କମିସନରଙ୍କୁ କହିଛନ୍ତି। ଖଣ୍ଡପୀଠ ମଧ୍ୟ ପୁଲିସଠାରୁ ଏକ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ନାବାଳିକା ଓ ତାଙ୍କ ବନ୍ଧୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଖଣ୍ଡପୀଠ ପୁଲିସକୁ କହିଛନ୍ତି।