ଗୌହାଟୀ : ଆସାମର ଦରଙ୍ଗ ଜିଲ୍ଲା ଅଧୀନସ୍ଥ ଢୋଲପୁର ଗୋରୁଖୁଟି ଅଞ୍ଚଳରେ ସ୍ଥିତି ଏବେ ବି ଅଶାନ୍ତ ରହିଛି। ବାଲୁଆ ଘାଟ ନିକଟରେ ବିପୁଳ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ଜିଲ୍ଲା ପ୍ରଶାସନଙ୍କ ଦ୍ବାରା ଏଠାରେ ଅସ୍ଥା‌ୟୀ ପୁଲିସ ଶିବିର କରାଯାଇଛି। ଢୋଲପୁର ଗୋରୁକୁଟି ଅଞ୍ଚଳରେ ଗତକାଲି ସ୍ଥିତି ଭୟଙ୍କର ହୋଇଯାଇଥିଲା। ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ସ୍ଥାନୀୟ ବାସିନ୍ଦା ଏବଂ ପୁଲିସଙ୍କ ମଧ୍ୟର ଭୟଙ୍କର ସଂଘର୍ଷ ହୋଇଥିଲା। କିଛି ଆନ୍ଦୋଳନକାରୀ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଫଳରେ ପୁଲିସ ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିଥିଲା ଏବଂ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment

ତେବେ ପୁଲିସର ଗୁଳିମାଡ଼କୁ ଜୋରଦାର ବିରୋଧ କରି ସ୍ଥାନୀୟ ଲୋକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ନ୍ୟାୟ ଦାବି କରି ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ସମଗ୍ର ଜିଲ୍ଲାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ଗତ ସୋମବାରଠାରୁ ଆସାମ ସରକାରଙ୍କ ଦ୍ବାରା ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ସରକାର ଏହି ପ୍ରକ୍ରିୟାରେ ୪,୫୦୦ ବିଘା ଜମି ଜବତ କରିଛନ୍ତି। ଏଥିଯୋଗୁଁ ପ୍ର‌ାୟ ୮୦୦ରୁ ଅଧିକ ପରିବାର ବାସହୀନ ହୋଇଯାଇଛନ୍ତି। ଘର ହରାଇଥିବା ଲୋକମାନେ ଏବେ ‌ଢୋଲପୁରରେ ଏକ ନଦୀପଠାରେ ଅସ୍ଥାୟୀ ବ୍ୟବସ୍ଥାରେ ରହୁଛନ୍ତି।