ବିହାରରେ ଯୁବକଙ୍କୁ ଅପହରଣ ପରେ ଜୋର ଜବରଦସ୍ତ ବିବାହ

ପାଟଣା: ବିହାରରେ ଜଣେ ଯୁବକଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇ ଜୋର ଜବରଦସ୍ତି ବେଦିରେ ବସାଇ ବିବାହ କରାଇବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ବିହାର ଲଖିସରାଇ ଜିଲ୍ଲାର ବାରାହିୟା ଥାନା ଅନ୍ତର୍ଗତ ଗଙ୍ଗାସରାଇ ଗାଁର ଶିବମ୍‌ କୁମାର(୨୧) ନିକଟରେ ଭାରତୀୟ ସେନାବାହିନୀରେ ଯୋଗଦେବା ଲାଗି ମନୋନୀତ ହୋଇଥିବା ବେଳେ ଗୁରୁବାର ସକାଳେ ତାଙ୍କୁ ବନ୍ଧୁକମୁନରେ କିଛି ଅଚିହ୍ନା ଯୁବକ କାର୍ରେ ବସାଇ ଅପହରଣ କରିନେଇଥିଲେ। ପରେ ନିକଟସ୍ଥ ଗାଁରେ ଜଣେ ଯୁବତୀଙ୍କ ସହ ତାଙ୍କର ଜୋର ଜବରଦସ୍ତି ବୈଦିକ ରୀତିରେ ବିବାହ ସଂପନ୍ନ କରାଯାଇଥିବା ଶିବମ୍‌ଙ୍କ ବାପା ମନୋଜ କୁମାର ଅଭିଯୋଗ ଆଣିଛନ୍ତି।

ଅପରପକ୍ଷେ, ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଗଙ୍ଗାସରାଇ ଗ୍ରାମବାସୀ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିବା ବେଳେ ପରେ ଶିବଙ୍କ ସହ ଜଣେ ଯୁବତୀଙ୍କର ହାତଗଣ୍ଠି ପଡ଼ିଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ତେବେ ପୁଲିସ ଏଥିରେ ତତ୍ପରତା ଦେଖାଇ ଜାମୁଇ ଜିଲ୍ଲା ଅଧୀନ ସିକନ୍ଦ୍ରା ଥାନା ଇଲାକାରୁ ଅପହୃତ ଶିବମ୍‌ଙ୍କୁ ଅପହରଣର ୪ ଘଣ୍ଟା ପରେ ଉଦ୍ଧାର କରିଛି। ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ। ସୂଚନାଯୋଗ୍ୟ, ସଂପୃକ୍ତ ଅଞ୍ଚଳରେ ଏପରି ଯୋଗ୍ୟ ବରପାତ୍ରଟିଏ ପାଇଲେ ତାଙ୍କୁ ଅପହରଣ ପୂର୍ବକ ଜୋର ଜବରଦସ୍ତ ବିବାହ(ପକଡ଼ ବିବାହ) କରାଇବା ଏକ ପାରମ୍ପରିକ ରୀତି ପାଲଟିଛି।

ସମ୍ବନ୍ଧିତ ଖବର