ଜୋର ଜବରଦସ୍ତ ବିବାହ, ଘର ଛାଡ଼ି କୋର୍ଟର ଦ୍ୱାରସ୍ଥ ହେଲେ ପ୍ରଭାବଶାଳୀ ରାଜନେତାଙ୍କ ଝିଅ

ନୂଆଦିଲ୍ଲୀ: ବ୍ୟକ୍ତିଗତ ସ୍ୱାଧିନତାକୁ ଗୁରୁତ୍ୱ ଦେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କର୍ଣ୍ଣାଟକର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଝିଅକୁ ତାଙ୍କ ବୈବାହିକ ଓ ପାରିବାରିକ ସମ୍ପର୍କ ଛିନ୍ନ କରି ସ୍ୱାଧୀନ ଭାବେ ବଞ୍ଚିିବା ପାଇଁ ଅନୁମତି ଦେଇଛନ୍ତି। କେବଳ ସେତିକି ନୁହେଁ, ଯୁବତୀଜଣକ ବେଙ୍ଗାଲୁର ଯାଇ ତାଙ୍କ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରିବାକୁ ଚାହୁଁ ଥିବାରୁ, ଏଥିପାଇଁ ତାଙ୍କ ସମସ୍ତ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ତାଙ୍କ ବାପାମାଆ ଓକିଲଙ୍କ ଜରିଆରେ ତାଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ ୨୬ ବର୍ଷୀୟ ଏହି ଯୁବତୀଜଣକଙ୍କର ତାଙ୍କ ଇଚ୍ଛା ବିରୋଧରେ ଗତ ମାର୍ଚ୍ଚ ୧୪ ତାରିଖ ଦିନ ଜଣେ ଯୁବକଙ୍କ ସହିତ ବିବାହ କରି ଦିଆଯାଇଥିଲା। ସେ ଜଣକୁ ଭଲ ପାଉଥିଲେ ମଧ୍ୟ ତାଙ୍କ ବାପାମାଆ ଓ ଭାଇ ତାଙ୍କୁ ଜୋର ଜବରଦସ୍ତ ଅନ୍ୟତ୍ର ବିବାହ କରି ଦେଇଥିଲେ। ପରେ ଯୁବତୀ ଜଣକ ଗୁଲବର୍ଗସ୍ଥିତ ତାଙ୍କ ଘରୁ ଲୁଚି ପଳାଇ ଯାଇ ସୁପି୍ରମ କୋର୍ଟରେ ଏହି ଜୋରଜବରଦସ୍ତ ବିବାହ ବିରୋଧରେ ଆବେଦନ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଦିଲ୍ଲୀ ପୁଲିସର ସୁରକ୍ଷା ମଧ୍ୟ ମିଳିଥିଲା।
ଯୁବତୀ ଜଣକ ତାଙ୍କ ଓକିଲ ଇନ୍ଦିରା ଜୟସିଂହଙ୍କ ସହାୟତାରେ କୋର୍ଟରେ ଆବେଦନ କରିଥିଲେ ଯେ ଯୁବତୀ ଜଣକ ତାଙ୍କ ଇଞ୍ଜିନିୟରିଂ ପାଠ ଶେଷ କରିବାକୁ ଚାହୁଁଛନ୍ତି ଓ ସେ ବେଙ୍ଗାଲୁର ଯିବାକୁ ଚାହୁଁଛନ୍ତି। ମାତ୍ର ସେଠାରେ ଯୁବତୀ ଜଣକ ତାଙ୍କ ପରିବାର ଓ ତଥାକଥିତ ସ୍ୱାମୀଙ୍କ ପରିବାର ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ସୁପ୍ରିମ କୋର୍ଟରେ ଜଣାଇଲେ, ସେତେବେଳେ ସୁପ୍ରିମ କେର୍ଟେର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏଏମ ଖନଓ୍ଵିଲକର ଓ ଜଷ୍ଟିିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ବେଞ୍ଚ କହିଥିଲେ ଯେ ଯୁବତୀ ଜଣକ ସାବାଳକ ହୋଇଥିବାରୁ ସେ କୁଆଡେ ବି ଯାଇ ପାରିବେ ଓ ଯାହା ଚାହୁଁଛନ୍ତି ତାହା ବି ପଢ଼ିପାରିବେ। ତାଙ୍କୁ ତାଙ୍କ ପିତାମାତା କିମ୍ବା ତାଙ୍କ ସ୍ୱାମୀଙ୍କ ପରିବାର ପକ୍ଷରୁ ଯେମିତି କୌଣସି ବାଧା ସୃଷ୍ଟି କରା ନ ଯାଏ ସେ ଦିଗରେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଯୁବତୀଙ୍କ ଓକିଲ କୋର୍ଟରେ ଦର୍ଶାଇଥଲେ ଯେ ଯେହେତୁ ଯୁବତୀଙ୍କ ଇଚ୍ଛା ବିରୋଧରେ ତାଙ୍କର ବିବାହ ହୋଇଛି, ସୁପ୍ରିିମ କୋର୍ଟ ଏହାକୁ ଅସିଦ୍ଧ ଘୋଷଣା କରନ୍ତୁ। ମାତ୍ର କୋର୍ଟ ଏହାକୁ ଖାରଜ କରି କହିଥିଲେ ଯେ ଏ ନେଇ ଯୁବତୀ ପାରିବାରିକ କୋର୍ଟରେ ଆବେଦନ କରି ପାରିବେ ଏବଂ ଏଥିପାଇଁ ସ୍ୱତନ୍ତ୍ର ଭାବେ ଆବେଦନ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର